ମଡେଲିଂ ଦୁନିଆରେ ପ୍ରତିଷ୍ଠିତ ହେବାର ଲକ୍ଷ୍ୟ

ଓଡ଼ିଶା ମଡେଲିଂ ଦୁନିଆରେ ନିଜକୁ ଏକ ପରିଚିତ ତଥା ପ୍ରତିଷ୍ଠିତ ଚେହେରା ଭାବେ ଗଢ଼ିବା ତାଙ୍କର ସ୍ବପ୍ନ। ଏହାକୁ ସାକାର କରିବା ଲାଗି ସେ ଆରମ୍ଭ ଅରିଥିଲେ ପ୍ରସ୍ତୁତି। ଆଉ ୬ ବର୍ଷ ଉଦ୍ୟମ କରିବା ପରେ ଓଡ଼ିଶା ମିଷ୍ଟର ଫ୍ୟାଶନ ଆଇକନ୍‌ ପ୍ରତିଯୋଗିତାରେ ପ୍ରଥମ ରନର୍ସ ଅପ୍‌ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ଏହାପରେ ମିଷ୍ଟର୍‌ ଓଡ଼ିଶା ସୁପର ମଡେଲ ୨୦୨୧, ଦିଲ୍ଲୀ ଟ୍ରେଣ୍ଡ ଫ୍ୟାଶନ ଶୋ’ରେ ୧ମ ରନର୍ସ ଅପ୍‌୍‌ ହେବା ସହ ମିଷ୍ଟର ଟିଆରା ଇଣ୍ଡିଆ ଫାଇନାଲରେ ବେଷ୍ଟ ର଼୍ୟାମ୍ପ୍‌ ୱାକ୍‌ ପାଇଁ ପୁରସ୍କୃତ ହୋଇଥିଲେ। ସେବେଠୁ ମଡେଲିଂ ଦୁନିଆରେ ସଫଳତାର ସହ ଆଗେଇ ଚାଲିଥିବା ଏହି ଉଦୀୟମାନ ମଡେଲ୍‌ ହେଉଛନ୍ତି ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ୍‌ ଅନ୍ତର୍ଗତ ବାଙ୍କୋଇରେ ରହୁଥିବା ମାଆ ଚନ୍ଦ୍ରକାନ୍ତି ଏବଂ ବାପା ପ୍ରମୋଦ କୁମାର ପଟ୍ଟନାୟକଙ୍କ ପୁଅ ଆଶୁତୋଷ।
ପିଲାବେଳୁ ଫ୍ୟାଶନ୍‌ ପ୍ରତି ତାଙ୍କ ରୁଚି ରହିଛି। ବିଶେଷକରି ଟିଭିରେ କୌଣସି ମଡେଲିଂ ଶୋ’ରେ ର଼୍ୟାମ୍ପ୍‌ ଓ୍ବାକ୍‌ କରୁଥିବା ମଡେଲ୍‌ଙ୍କୁ ଦେଖିଲେ ନିଜକୁ ସେହି ସ୍ଥାନରେ ଦେଖିବାକୁ ଚାହୁଁଥିଲେ। ସେଥିପାଇଁ ସେ ଉଦ୍ୟମ ଜାରି ରଖିବା ସହ ବିଭିନ୍ନ ଫ୍ୟାଶନ୍‌ ଶୋ’ରେ ଅଂଶଗ୍ରହଣ କରି ସଫଳ ମଧ୍ୟ ହୋଇପାରିଲେ। ବର୍ତ୍ତମାନ ଆଶୁତୋଷ ମଡେଲ୍ସ ହବ୍‌ ନାଁରେ ଏକ ମଡେଲିଂ ଏକାଡେମୀ ଖୋଲି ମଡେଲିଂ ପାଇଁ ଉତ୍ସାହୀ ଉଭୟ କିଡ୍ସ ଏବଂ ୟୁଥ୍‌ମାନଙ୍କୁ୍‌ ଏ ଦିଗରେ ତାଲିମ ଦେଉଛନ୍ତି। ଏହା ବ୍ୟତୀତ ସେ ନିଜସ୍ବ ଉଦ୍ୟମରେ ମିଷ୍ଟର ଆଣ୍ଡ ମିସ୍‌ କଳିଙ୍ଗ ସିଜନ୍‌- ୧ ଏବଂ ଓଡ଼ିଶା ଫ୍ୟାଶନ୍‌ ରନ୍‌ଓ୍ବେ ଓ୍ବିକ୍‌ ସିଜନ୍‌- ୧ ନାମକ ଦୁଇଟି ମଡେଲିଂ ଶୋ ମଧ୍ୟ କରିସାରିଛନ୍ତି। ଖୁବ୍‌ଶୀଘ୍ର ଓଡ଼ିଶା ଫ୍ୟାଶନ ରନ୍‌ଓ୍ବେ ଓ୍ବିକ୍‌ର ସିଜନ୍‌- ୨ ମଧ୍ୟ ଆୟୋଜନ କରିବାକୁ ଯାଉଛନ୍ତି। ସାଙ୍ଗମାନେ ଓ ମୋ ନବୋଦୟ ୟୁଥ୍‌ ଆସୋସିଏଶନ୍‌ର ଭାଇମାନଙ୍କ ଭଲପାଇବା ମୋତେ ଆଗକୁ ବଢ଼ିବାରେ ବେଶ୍‌ ଉତ୍ସାହିତ କରୁଛି ବୋଲି ସେ କୁହନ୍ତି।
ମଡେଲିଂ ବ୍ୟତୀତ ଅଭିନୟରେ ତାଙ୍କର ବିଶେଷ ରୁଚି ରହିଛି। ବର୍ତ୍ତମାନ ସୁଦ୍ଧା ସେ ଦୁଇଟି ଘରୋଇ ଓଡିଆ ଚ୍ୟାନେଲ୍‌ରେ ପ୍ରସାରିତ ‘କେମିତି କହିବି କହ’ ଏବଂ ‘ଭାଗ୍ୟ ହାତେ ଡୋରୀ’ ଭଳି ମେଗା ଧାରାବାହିକରେ ମଧ୍ୟ କାମ କରି ସାରିଛନ୍ତି। ନିଜ ମାତାପିତାଙ୍କ ଆଶୀର୍ବାଦ ଓ ପ୍ରୋତ୍ସାହନ ଯୋଗୁ ଆଜି ସଫଳତା ମାର୍ଗରେ ଆଗେଇ ପାରିଛି ବୋଲି କହୁଥିବା ଆଶୁତୋଷ ଭବିଷ୍ୟତରେ ବଡ଼ପରଦାରେ ଜଣେ ସଫଳ ଅଭିନେତା ହେବାକୁ ଲକ୍ଷ୍ୟ ରଖିଛନ୍ତି।

Share