ସେପ୍ଟେମ୍ବର ସୁଦ୍ଧା ଭୁବନେଶ୍ୱରରୁ ଏୟାର କାର୍ଗୋ ସେବା

ଭୁବନେଶ୍ୱର,୨୩।୭: ୱାର୍ଲଡ ଟ୍ରେଡ୍‌ ସେଣ୍ଟର (ଡବ୍ଲ୍ୟୁଟିସି) ଭୁବନେଶ୍ୱର ପକ୍ଷରୁ ଆୟୋଜିତ ବିଶ୍ୱ ବାଣିଜ୍ୟ ଦିବସ ଏବଂ ବାର୍ଷିକ ସଦସ୍ୟ ସମ୍ମିଳନୀ କାର୍ଯ୍ୟକ୍ରମ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ବୈଦେଶିକ ବାଣିଜ୍ୟ ମହାନିର୍ଦେଶାଳୟ ନୂଆଦିଲ୍ଲୀର ମହାନିର୍ଦ୍ଦେଶକ ସନ୍ତୋଷ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, ୨୦୩୦ ସୁଦ୍ଧା ଭାରତ ୨ଟ୍ରିଲିୟନ୍‌ ଡଲାର ରପ୍ତାନି ଲକ୍ଷ୍ୟ ରଖିଥିବାବେଳେ ସାମଗ୍ରୀ ଓ ସେବା କ୍ଷେତ୍ରରେ ୧ଟ୍ରିଲିୟନ ଡଲାର ରପ୍ତାନି କରିବାକୁ ଲକ୍ଷ୍ୟ ରଖିଛି। ଏପରିକି ବର୍ତ୍ତମାନ ଆମର ରପ୍ତାନି ୪୫୦ ବିଲିୟନ ଡଲାର ରହିଛି। ସେହିଭଳି ଓଡ଼ିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର କହିଛନ୍ତି, ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଭୁବନେଶ୍ୱର ବିମାନବନ୍ଦରରୁ ଏୟାର କାର୍ଗୋ ସେବା ଆରମ୍ଭ ହୋଇଯିବ,ଯାହାକି ରାଜ୍ୟର ରପ୍ତାନିକାରୀମାନଙ୍କୁ ଅନ୍ତର୍ଜାତୀୟ ବଜାରରେ ଉନ୍ନତି କରିବା ପାଇଁ ଆବଶ୍ୟକ ପ୍ରୋସତ୍ାହନ ଯୋଗାଇବ। ବିଶେଷକରି ଏୟାର କାର୍ଗୋ ସେବା ଆରମ୍ଭ କରିବା ଲାଗି ବିମାନବନ୍ଦରରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ଜୋର୍‌ସୋରରେ ଆଗେଇ ଚାଲିଛି। ଖୁବ୍‌ଶୀଘ୍ର ଏହା ଶେଷ ହେବ ବୋଲି ଅନୁମାନ ମଧ୍ୟ କରାଯାଉଛି। ଏହାପରେ ବ୍ୟୁରୋ ଅଫ୍‌ ସିଭିଲ ଆଭିଏଶନର ଅଧିକାରୀମାନେ ଉକ୍ତ ଅଞ୍ଚଳ ଗସ୍ତକରି ବିକାଶର ଅନୁଧ୍ୟାନ କରିବେ। ରାଜ୍ୟ ରପ୍ତାନି ନୀତିର ବିଭିନ୍ନ ଦିଗ ଉପରେ ବିସ୍ତୃତ ଭାବେ ଆଲୋକପାତ କରିବା ସହ ରପ୍ତାନିକାରୀଙ୍କ ପ୍ରକ୍ରିୟାକୁ ସରଳ କରିବା ପାଇଁ ନିଆଯାଇଥିବା ଡିଜିଟାଲ ପଦକ୍ଷେପ ସମ୍ପର୍କରେ ମିଶ୍ର ବିସ୍ତୃତ ଆଲୋଚନା କରିଥିଲେ। ସେହିପରି ଇଣ୍ଡୋ-ଅଷ୍ଟ୍ରେଲିଆନ୍‌ ଚାମ୍ବର ଅଫ୍‌ କମର୍ସର ସିଇଓ ମିସ୍‌ ପେଟୁଲା ଥୋମାସ୍‌ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ, ଓଡ଼ିଶାର ଶିଳ୍ପ ସହ ଯୋଡ଼ିହୋଇ ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଏହା ଆମ ପାଇଁ ଏକ ବୃହତ୍‌ ସୁଯୋଗ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ସହ ଆମେ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛୁ। ଅପରପକ୍ଷରେ ଡବ୍ଲ୍ୟୁଟିସି ମୁମ୍ବାଇର ଅଧ୍ୟକ୍ଷ ଡ. ବିଜୟ କାଲାବୀ କହିଛନ୍ତି, ଭାରତ ୧ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବାକୁ ଚାହୁଁଥିବାରୁ ଏହି ସ୍ବପ୍ନକୁ ସାକାର କରିବା ପାଇଁ ଏମ୍‌ଏସ୍‌ଏମ୍‌ଇକୁ ରପ୍ତାନି କ୍ଷେତ୍ରରେ ପ୍ରମୁଖ ଭୂମିକା ତୁଲାଇବାକୁ ପଡ଼ିବ। ସେହିଭଳି ଡବ୍ଲ୍ୟୁଟିସି ଭୁବନେଶ୍ୱରର ଅଧ୍ୟକ୍ଷ କ୍ୟାପ୍‌ଟେନ୍‌ ସୋମେଶ ବାତ୍ରା କହିଛନ୍ତି, ସମସ୍ତ ହିତାଧିକାରୀ ଏବଂ ଓଡ଼ିଶା ସରକାରଙ୍କ ସହାୟତା ସହ ଆମେ ବୃହତ୍‌ କାର୍ଯ୍ୟାଳୟ ଏବଂ ପ୍ରଦର୍ଶନୀ କେନ୍ଦ୍ର ଓ ସମ୍ମିଳନୀ କେନ୍ଦ୍ର ସହିତ ଆହୁରି ବୃହତ୍‌ ଆକାରରେ ବୃଦ୍ଧି କରିପାରିବା। ଏହି ଲକ୍ଷ୍ୟ ପୂରଣ ଲାଗି ଆମ ଦଳ କଠିନ ପରିଶ୍ରମ କରୁଛି। ସେହିପରି ଡବ୍ଲ୍ୟୁଟିସି ଭୁବନେଶ୍ୱରର ଅବୈତନିକ ସଂଯୋଜକ ରାଜେନ୍‌ ପାଢ଼ୀ କହିଥିଲେ, ରପ୍ତାନି ଦୃଷ୍ଟିରୁ ଓଡ଼ିଶାର ଝାରସୁଗୁଡ଼ା ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲା ମଧ୍ୟରେ ରହିଥିବା ବେଳେ ଓଡ଼ିଶାର ଏମ୍‌ଏସ୍‌ଏମ୍‌ଇମାନଙ୍କୁ ଅନ୍ତର୍ଜାତୀୟ ବଜାରରେ ପହଞ୍ଚିବାରେ ସାହାଯ୍ୟ କରିବା ଲାଗି ଓଡ଼ିଶା କ୍ଷୁଦ୍ରଶିଳ୍ପ ସଂଘ (ଓସିଆ) ସହ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।

Share