Categories: ଜାତୀୟ

ବାୟୁସେନାକୁ ମିଳିଲା ପ୍ରଥମ ଟୁଇନ୍‌ ସିଟର ତେଜସ୍‌

ନୂଆଦିଲ୍ଲୀ,୫ା୧୦: ଭାରତୀୟ ବାୟୁ ସେନାରେ ହାଲୁକା ଲଢ଼ୁଆ ଯୁଦ୍ଧବିମାନ (ଏଲ୍‌ସିଏ) ତେଜସ୍‌ର କେତେକ ସ୍କ୍ବାଡ୍ରନ୍‌ ନିୟୋଜିତ ଥିବାବେଳେ ଏହା ପ୍ରତିରକ୍ଷା ପିଏସ୍‌ୟୁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ (ଏଚ୍‌ଏଏଲ୍‌)ରୁ ପ୍ରଥମ ତେଜସ ଟୁଇନ୍‌ ସିଟର ତେଜସ୍‌ ପାଇଛି। ଏହା ଏକ ଦୁଇ ଆସନ ବିଶିଷ୍ଟ ହାଲୁକା ଯୁଦ୍ଧବିମାନ, ଯାହା ସବୁ ପ୍ରକାର ପାଗରେ ବିଭିନ୍ନ କାର୍ଯ୍ୟରେ ଲାଗିପାରିବ।

ବାୟୁସେନାର ପ୍ରଶିକ୍ଷଣ ଆବଶ୍ୟକତା ପାଇଁ ଏହାକୁ ଡିଜାଇନ୍‌ କରାଯାଇଥିବାବେଳେ ଆବଶ୍ୟକ ସମୟରେ ଯୁଦ୍ଧରେ ମଧ୍ୟ ନିୟୋଜିତ ହୋଇପାରିବ। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ତେଜସ୍‌ ଟୁ-ସିଟର ଆତ୍ମନିର୍ଭର ଭାରତକୁ ଆଉ ପାଦେ ଆଗେଇନେଇଛି। ଏହି ଯୁଦ୍ଧବିମାନ ସହ ଭାରତ ଏଲ୍‌ସିଏ ଟୁଇନ୍‌ ସିଟର ବିମାନ ଥିବା ଅଳ୍ପ କେତେକ ପ୍ରମୁଖ ରାଷ୍ଟ୍ରର ତାଲିକାରେ ନିଜକୁ ସାମିଲ କରିପାରିଛି। ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ ଉକ୍ତ ବିମାନର ଅନାବରଣ କରିଛନ୍ତି।

Share