Categories: ଜାତୀୟ

ବାୟୁସେନା ପାଇଁ ୫୬ ବିମାନ କ୍ରୟକୁ ମଞ୍ଜୁରୀ

ନୂଆଦିଲ୍ଲୀ, ୯।୯: ଭାରତୀୟ ବାୟୁସେନାର ପୁରୁଣା ଆଭ୍ରୋ ବିମାନ ସ୍ଥାନରେ ସାମିଲ ହେବ ଟ୍ବିନ୍‌-ଟର୍ମୋପ୍ରପ୍‌ ସି-୨୯୫ଏମ୍‌ଡବ୍ଲ୍ୟୁ ବିମାନ। ଏଭଳି ୫୬ଟି ବିମାନ କିଣିବା ପ୍ରସ୍ତାବକୁ ବୁଧବାର ସୁରକ୍ଷା ସମ୍ବନ୍ଧୀୟ କ୍ୟାବିନେଟ କମିଟି (ସିସିଏସ୍‌) ମଞ୍ଜୁରୀ ପ୍ରଦାନ କରିଛି। ପ୍ରସ୍ତାବ ଅନୁଯାୟୀ ସ୍ପେନ୍‌ର ଏୟାରବସ୍‌ ଡିଫେନ୍ସ ଆଣ୍ଡ ସ୍ପେସ୍‌ କମ୍ପାନୀରୁ ବାୟୁସେନା ପାଇଁ ୧୬ଟି ପରିବହନ ବିମାନ କିଣାଯିବ। ଏହା ବ୍ୟତୀତ ଉକ୍ତ କମ୍ପାନୀ ଟାଟା ସହ ମିଶି ଭାରତରେ ଅନ୍ୟ ୪୦ଟି ବିମାନ ନିର୍ମାଣ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସି-୨୯୫ଏମ୍‌ଡବ୍ଲ୍ୟୁ ବିମାନର ପରିବହନ କ୍ଷମତା ୫ରୁ ୧୦ ଟନ୍‌। ଚୁକ୍ତି ସ୍ବାକ୍ଷର ହେବାର ୪୮ ମାସ ମଧ୍ୟରେ କମ୍ପାନୀ ସ୍ପେନ୍‌ରୁ ୧୬ଟି ବିମାନ ଯୋଗାଇଦେବ। ଏହା ବ୍ୟତୀତ ୧୦ ବର୍ଷ ମଧ୍ୟରେ ଟାଟା କନ୍‌ସୋଟିୟମ ଦ୍ୱାରା ଅବଶିଷ୍ଟ ୪୦ଟି ବିମାନ ନିର୍ମାଣ କରାଯିବ ବୋଲି ମନ୍ତ୍ରଣାଳୟ କହିଛି।

Share