ଲ୍ୟାଣ୍ଡିଂ କରିବାବେଳେ ଜଳିଗଲା ବାୟୁସେନା ବିମାନ: ୨୬ ମୃତ

କାୟିଭ୍‌, ୨୬।୯: ଲ୍ୟାଣ୍ଡିଂ କରିବା ସମୟରେ ୟୁକ୍ରେନ୍‌ ବାୟୁସେନା ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଭୂପୃଷ୍ଠରେ ଧକ୍କା ହେବାରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି। ଏହି ଘଟଣାରେ ବିମାନରେ ଥିବା ୨୬ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରଚଣ୍ଡ ବିସ୍ପୋରଣରେ ୨୧ ଜଣ କ୍ୟାଡେଟ୍ସ୍‌ଙ୍କ ସମେତ ଅନ୍ୟ ୪ ଜଣ ବିମାନ କର୍ମଚାରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଖରକିବ୍‌ ବାୟୁସେନା ବିଶ୍ୱବିଦ୍ୟାଳୟରୁ ଏଣ୍ଟୋନୋଓ୍ବ-୨୬ ବିମାନଟି ୨୧ ଜଣ କ୍ୟାଡେଟ୍ସ୍‌ଙ୍କୁ ନେଇ ଯାତ୍ରା କରୁଥିଲା। ବିମାନରେ ୭ ଜଣ କର୍ମଚାରୀଙ୍କୁ ମିଶାଇ ମୋଟ ୨୮ଜଣ ଥିଲେ। ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତିି କରାଯାଇଥିବା ବାୟୁସେନା ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟ ଜଣଙ୍କୁ ଖୋଜା ଚାଲିଛି। ବିମାନ ବନ୍ଦରଠାରୁ ୨ କିଲୋମିଟର ଦୂରରେ ଦୁର୍ଘଟଣା ଘଟିଥିବା କୁହାଯାଉଛି। ଦୁର୍ଘଟଣାର ପ୍ରକୃତ କାରଣ ସମ୍ପର୍କରେ ତଦନ୍ତ ଜାରି ରହିଥିବା ୟୁକ୍ରେନ୍‌ର ଡେପୁଟି ଗୃହମନ୍ତ୍ରୀ ଏଣ୍ଟୋନ ଗେରାଶୋକେନକୋ କହିଛନ୍ତି। ଶନିବାର ୟୁକ୍ରେନ୍‌ ରାଷ୍ଟ୍ରପତି ବ୍ଲାଡ଼ିମୀର୍‌ ଜେଲେଂକ୍ସି ଦୁର୍ଘଟଣା ଅଞ୍ଚଳ ପରିଦର୍ଶନ କରିଛନ୍ତି।

Share