କୁଏଟ୍‌ରୁ ୪୫ ମୃତଦେହ ଧରି ଭାରତ ଫେରିଲା ବାୟୁସେନା ବିମାନ

ନୂଆଦିଲ୍ଲୀ,୧୪ା୬: କୁଏଟ୍‌ରେ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ ଭାରତୀୟଙ୍କ ମୃତଦେହକୁ ନେଇ ଶୁକ୍ରବାର ଭାରତୀୟ ବାୟୁସେନାର ଏକ ସ୍ବତନ୍ତ୍ର ବିମାନ କୋଚିରେ ପହଞ୍ଚିଛି। ବିମାନରେ ରାଜ୍ୟ ମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂ ମଧ୍ୟ ଉପସ୍ଥିତ ଥିଲେ। ଯିଏ କି ଶୀଘ୍ର ମୃତଦେହଗୁଡ଼ିକ ଶୀଘ୍ର ଫେରିବା ନେଇ କୁଏଟ୍‌ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ସମନ୍ବୟ ରକ୍ଷା କରିଥିଲେ।

ବିମାନଟି କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ଏର୍ନାକୁଲମ ରେଞ୍ଜ ଡିଜି ପୁଟା ବିମଲାଦିତ୍ୟ କହିଛନ୍ତି, ‘ମୃତଦେହ ଗ୍ରହଣ କରିବା ପାଇଁ ଆମେ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିଛୁ। ପୀଡ଼ିତଙ୍କ ପରିବାର ସଦସ୍ୟଙ୍କ ସହ ମଧ୍ୟ କଥାବାର୍ତ୍ତା କରିଛୁ। ମୃତଦେହ ମିଳିବା ମାତ୍ରେ ଯଦି ସେମାନେ ଯାଆନ୍ତି ସେମାନଙ୍କୁ ଉପଯୁକ୍ତ ଢଙ୍ଗରେ ନିଆଯିବ ୨୩ଟି ମୃତଦେହ କେରଳର, ୭ଟି ତାମିଲନାଡୁର ଏବଂ ଗୋଟିଏ କର୍ନାଟକର।
କୁଏଟ୍‌ରୁ ବିମାନ ଛାଡ଼ିବା ପୂର୍ବରୁ କୁଏଟ୍‌ରେ ଥିବା ଭାରତୀୟ ଦୂତାବାସ ଭାରତୀୟ ବାୟୁସେନାର ଏହି ସ୍ବତନ୍ତ୍ର ବିମାନର ‘ଏକ୍ସ’ ହ୍ୟାଣ୍ଡେଲରେ ବିଦାୟ ନେଇଥିବା ଖବର ପୋଷ୍ଟ କରିଥିଲା। ଭାରତୀୟ ଦୂତାବାସ ଏକ୍ସରେ ଲେଖିଛି, କୁଏଟ୍‌ ଅଗ୍ନିକାଣ୍ଡରେ ୪୫ ଭାରତୀୟଙ୍କ ମୃତଦେହ ଧରି କୋଚି ଅଭିମୁଖେ ଯାଉଛି। ଏହି ବିମାନରେ ରାଜ୍ୟ ମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ ମଧ୍ୟ ଅଛନ୍ତି।

ସୂଚନାଯୋଗ୍ୟ, ବୁଧବାର ଦକ୍ଷିଣ କୁଏଟ୍‌ଣ ମଙ୍ଗଫ ଅଞ୍ଚଳରେ ଥିବା ବହୁ ମହଲା କୋଠାରେ ଅଗ୍ନିକାଣ୍ଡରେ ୪୯ ଜଣ ବିଦେଶୀ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି। ପିଟିଆଇ ଅନୁଯାୟୀ,କୁଏଟ୍‌ର ପ୍ରଥମ ଉପମୁଖ୍ୟମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ଶେଖ ଫାହଦ ଅଲ୍‌-ୟୁସୁଫ୍‌ ଅଲ-ସାବ କହିଛନ୍ତି, ଅଧିକାରୀମାନେ ୪୮ଟି ମୃତଦେହ ଚିହ୍ନଟ କରିଛନ୍ତି, ସେଥିମଧ୍ୟରୁ ୪୫ ଜଣ ଭାରତୀୟ ଏବଂ ତିନୋଟି ଫିଲିପାଇନ୍ସ। ଅବଶିଷ୍ଟ ମୃତଦେହକୁ ଚିହ୍ନଟ କରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି। ଅଧିକାରୀ କହିଛନ୍ତି, ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅଧିକାଂଶ ଭାରତୀୟ କେରଳର।

Share