ଚାକିରି ଛାଡ଼ିଲେ ବାୟୁସେନା ଯବାନ

କଲମ୍ବୋ,୨୪ା୭: ଶ୍ରୀଲଙ୍କାରେ ଲୋକଙ୍କ ଅସୁବିଧା ଦିନକୁ ଦିନ ବଢ଼ିବାରେ ଲାଗିଛି। ସ୍ବାଧୀନତା ପରଠାରୁ ଦେଶ ବର୍ତ୍ତମାନ ସବୁଠାରୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଶ୍ରୀଲଙ୍କାରେ ସଙ୍କଟ ଯୋଗୁ ଅନେକ ନାଗରିକ ଦେଶ ଛାଡ଼ି ପଳାଇବାକୁ ପଛାଉ ନାହାନ୍ତି। ଖାଦ୍ୟ କିମ୍ବା ଇନ୍ଧନ ନାହିଁ, ଚାରିଆଡ଼େ ଦାରିଦ୍ର ଏବଂ ଦୁଃଖ ରହିଛି। ଏହି ସମୟରେ ଶ୍ରୀଲଙ୍କା ବାୟୁସେନାର ଜଣେ ଯବାନ ସେ ଦେଶର ସଶସ୍ତ୍ର ବାହିନୀର ଦାସ ହେବାକୁ ଚାହୁଁନାହାନ୍ତି ବୋଲି କହି ଚାକିରି ଛାଡ଼ିଛନ୍ତି।

ଶ୍ରୀଲଙ୍କା ବାୟୁସେନାରେ କାର୍ଯ୍ୟ କରୁଥିବା ଆଶଙ୍କା ଶ୍ରୀମାଲ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି, ସେ ଏହି ସେବା ଛାଡୁଛନ୍ତି, କାରଣ ମୁଁ ଶ୍ରୀଲଙ୍କା ବାୟୁସେନାର ଦାସ ହେବାକୁ ଚାହେଁ ନାହିଁ।

ଏହା ଉପରେ ମନ୍ତବ୍ୟ ଦେଇ ଏସ୍‌ଏଲ୍‌ଏଏଫ୍‌ ମୁଖପାତ୍ର ଗ୍ରୁପ କ୍ୟାପଟେନ ଦୁଶାନ ଓ୍ବିଜେସିଂଘେ କହିଛନ୍ତି, ସେ ୮ ବର୍ଷର କାର୍ଯ୍ୟ ଶେଷ ହେବା ପରେ ୨୧ ଜୁଲାଇ ୨୦୨୨ରେ ବାୟୁସେନା ଛାଡ଼ିଥିଲେ।

୨୦୨୨ ଆରମ୍ଭରୁ ଶ୍ରୀଲଙ୍କାରେ ବଢୁଥିବା ଅର୍ଥନୈତିକ ସଙ୍କଟ ଦେଖାଦେଇଛି। ସରକାର ଏହାର ବିଦେଶୀ ଋଣ ଉପରେ ଡିଫଲ୍ଟ ହୋଇଛନ୍ତି। ମିଳିତ ଜାତିସଂଘ ଚେତାବନୀ ଦେଇଛି ଯେ, ୫.୭ ନିୟୁତ ଲୋକ ‘ଜରୁରୀ ମାନବିକ ସହାୟତା ଆବଶ୍ୟକ କରୁଛନ୍ତି’।

ମାର୍ଚ୍ଚରୁ ଏହି ବିରୋଧ ଆରମ୍ଭ ହୋଇଥିଲା। ଯେଉଁଥିରେ ଅନେକ ଶ୍ରୀଲଙ୍କାବାସୀ ଖାଦ୍ୟ ଏବଂ ଇନ୍ଧନ ସମେତ ଅତ୍ୟାବଶ୍ୟକ ଦ୍ରବ୍ୟର ଅଭାବର ସମ୍ମୁଖୀନ ହୋଇଥିଲେ। ଏହି ବିରୋଧ ଦ୍ୱାରା ୯ ମେ’ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେ ଇସ୍ତଫା ଦେଇଥିଲେ। ତାଙ୍କ ଭାଇ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ୧୩ ଜୁଲାଇରେ ଦେଶ ଛାଡ଼ିଥିଲେ। ଏହାର ଗୋଟେଦିନ ପରେ ସେ ମଧ୍ୟ ଇସ୍ତଫା ଦେଇଥିଲେ।

Share