ବିମାନ ଅବତରଣ ପୂର୍ବରୁ ନିୟନ୍ତ୍ରଣ ହରାଇଲେ ପାଇଲଟ୍‌

ପ୍ୟାରିସ୍‌, ୭।୪: ନ୍ୟୁୟର୍କରୁ ଉଡାଣ ଆରମ୍ଭ କରିଥିବା ଏୟାର ଫ୍ରାନ୍ସ ବିମାନ ପ୍ୟାରିସର ମୁଖ୍ୟ ବିମାନ ବନ୍ଦରରେ ଅବତରଣ ବେଳେ ପାଇଲଟ୍‌ ଆଂଶିକ ନିୟନ୍ତ୍ରଣ ହରାଇଥିଲେ। ଶେଷରେ ଫ୍ଲାଇଟ୍‌ ବୋଇଂ ୭୭୭ ସୁରକ୍ଷିତ ଭାବେ ଅବତରଣ କରିଥିଲା। ଏଥିରେ କୌଣସି ଯାତ୍ରୀ କିମ୍ବା କ୍ରୁ ମେମ୍ବର ଆହତ ହୋଇନାହାନ୍ତି।

ଫ୍ରାନ୍ସର ବେସାମରିକ ବିମାନ ଚଳାଚଳ ସୁରକ୍ଷା ପାଇଁ ଅନୁସନ୍ଧାନ ଏବଂ ବିଶ୍ଲେଷଣ ବ୍ୟୁରୋ (ବିଇଏ) ମଙ୍ଗଳବାର ସକାଳେ ଘଟିଥିବା ଦୁର୍ଘଟଣାକୁ ଗୁରୁତର ଘଟଣା ବୋଲି କହିଛି। ଏହାର ଅର୍ଥ ସେଠାରେ ଦୁର୍ଘଟଣା ଘଟିଥିବା ବିଶେଷ ସମ୍ଭାବନା ଥିଲା।

ଟୁଇଟରରେ ବିଇଏ ପକ୍ଷରୁ କୁହାଯାଇଛି, ଅବତରଣର ଫାଇନାଲ ଫେଜର ଫ୍ଲାଇଟ୍‌ ଉପରୁ ପାଇଲଟ ନିୟନ୍ତ୍ରଣ ହରାଇଥିଲେ। ଏଥିଯୋଗୁ ତାଙ୍କୁ ଅବତରଣ ଠିକ୍‌ ପୂର୍ବରୁ ଆଗକୁ ଯିବାକୁ ପଡ଼ିଥିଲା। ଏହି ଘଟଣାକୁ ଗୁରୁତର ବିଭାଗରେ ରଖାଯାଇଛି। କାରଣ ଏହା ଅବତରଣ ଠିକ୍‌ ପୂର୍ବରୁ ଘଟିଥିଲା, ଯେଉଁଠାରେ ସର୍ବାଧିକ ଦୁର୍ଘଟଣା ସମ୍ଭାବନା ରହିଥାଏ।

Share