Categories: ଜାତୀୟ

ଏୟାର ଇଣ୍ଡିଆ କର୍ମଚାରୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୧୫।୪: ଏୟାର ଇଣ୍ଡିଆର କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। କରୋନା ସଙ୍କଟ ସମୟରେ କର୍ମଚାରୀଙ୍କ ବେତନରେ ଦିଆଯାଇଥିବା ରିହାତିକୁ ଆଂଶିକ ଭାବେ ପ୍ରତ୍ୟାହାର କରିବାକୁ କମ୍ପାନୀ ନିଷ୍ପତ୍ତି ନେଇଛି। ଦରମାକୁ ଆଂଶିକ ରୂପେ ପୁନଃସ୍ଥାପିତ କରିବାର ଏହି ନିଷ୍ପତ୍ତି ଚଳିତ ବର୍ଷ ଅର୍ଥାତ୍‌ ୨୦୨୨ ଏପ୍ରିଲ ୧ରୁ ଲାଗୁ ହେବ। ବେତନ ଫେରାଇବାର କାର୍ଯ୍ୟ ପର୍ଯ୍ୟାୟକ୍ରମେ କରାଯିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଏୟାର ଇଣ୍ଡିଆ ସର୍ବଶେଷରେ ଘୋଷଣା କରିଛି ଯେ, ଆଶା କରାଯାଉଛି ଏହି ମହାମାରୀର ପରବର୍ତ୍ତୀ ସମୟ ଆସିଯାଇଛି। ବିମାନ ଚଳାଚଳ କ୍ଷେତ୍ର ପୁଣିଥରେ ଉଡ଼ାଣ ଭରିବା ପାଇଁ ପ୍ରସ୍ତୁତ ଏବଂ ଆମର ପ୍ରଦର୍ଶନରେ ମଧ୍ୟ କିଛି ପରିବର୍ତ୍ତନ ଦେଖାଯାଉଛି। କର୍ମଚାରୀଙ୍କ ବେତନ ରିହାତି ସମୀକ୍ଷା କରାଯାଇଛି ଏବଂ ପୁନଃରୁଦ୍ଧାର କାର୍ଯ୍ୟ ପର୍ଯ୍ୟାୟକ୍ରମେ କରାଯିବ। ସେହିପରି ପାଇଲଟ ଏବଂ କ୍ୟାବିନ କ୍ର୍ୟୁଙ୍କ ପାଇଁ ଅନ୍ତର୍ଜାତୀୟ ଲେଓଭର ଆଲାଉନ୍ସ୍‌ ଏବଂ ଘରୋଇ ଲେଓଭର ଆଲାଉନ୍ସ୍‌ ଅପରିବର୍ତ୍ତିତ ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଗତ ୨ବର୍ଷ ହେଲା କରୋନା ମହାମାରୀ ଯୋଗୁ ଏୟାର ଇଣ୍ଡିଆ ପାଇଲଟଙ୍କ ଉଡ଼ାଣ ବେତନକୁ ୩୫ ପ୍ରତିଶତ ହ୍ରାସ କରାଯାଇଥିଲା। ବର୍ତ୍ତମାନ ଏହି ରିହାତି ୧୫ ପ୍ରତିଶତକୁ ହ୍ରାସ କରାଯାଇଛି। ଏତଦ୍‌ବ୍ୟତୀତ ଅନ୍ୟାନ୍ୟ ଭତ୍ତାରେ ଦିଆଯାଇଥିବା ରିହାତି ମଧ୍ୟ ହ୍ରାସ କରାଯାଇଥିବା ଜଣାପଡ଼ିଛି।

Share