ନୂଆଦିଲ୍ଲୀ,୩୧।୧: ଦେଶର ପ୍ରମୁଖ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆ ନିକଟରେ ମାଲିକାନା ପରିବର୍ତ୍ତନ କରି ଟାଟା ଗ୍ରୁପରେ ସାମିଲ ହୋଇଛି। କର୍ମଚାରୀଙ୍କ ସୁରକ୍ଷା ଓ ଭବିଷତ୍ୟ ପାଇଁ ଏୟାର ଇଣ୍ଡିଆ କେତେକ ଲାଭଦାୟକ ପଦକ୍ଷେପ ଗ୍ରହଣ କରିଛି। ବିଶେଷ କରି କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ପକ୍ଷରୁ ପିଏଫ, ପେନସନ ଓ ବୀମା ଭଳି ସାମାଜିକ ସୁରକ୍ଷା ଯୋଜନାରେ କମ୍ପାନୀର କର୍ମଚାରୀଙ୍କୁ ସାମିଲ କରାଇଛି। ଫଳରେ କମ୍ପାନୀର ୭,୪୫୩ କର୍ମଚାରୀ ଏହି ଯୋଜନା ଓ ସୁବିଧାର ଲାଭ ଉଠାଇପାରିବେ ବୋଲି କୁହାଯାଇଛି। ଏ ନେଇ ନିକଟରେ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି ଯେ ଏୟାର ଇଣ୍ଡିଆ ତାର କର୍ମଚାରୀଙ୍କ ପାଇଁ ଇପିଏଫଓ ସୁବିଧା ଲାଗି ଆବେଦନ କରିଥିଲା। ସରକାରଙ୍କ ନିୟମବାଳୀ ଅନୁସାରେ ମନ୍ତ୍ରଣାଳୟ ପକ୍ଷରୁ କମ୍ପାନୀକୁ ଉକ୍ତ ଅନୁମତି ପ୍ରଦାନ କରାଯାଇଛି। ଏହି ନିଷ୍ପତ୍ତି ଫଳରେ ବର୍ତ୍ତମାନ ଏହାର କର୍ମଚାରୀମାନେ ଆବଶ୍ୟକ ଫାଇଦା ପାଇପାରିବେ। ପିଏଫ ଆକାଉଣ୍ଟରେ ସେମାନଙ୍କ ବେତନର ୧୨% ଉପରେ ଅତିରିକ୍ତ ୨% ନିଯୁକ୍ତି ଦାତା ସେୟାର ମିଳିବ। ପୂର୍ବରୁ ସେମାନେ ୧୯୨୫ର ପିଏଫ ଆକ୍ଟ ଅଧୀନରେ ଆସୁଥିଲେ ଏବଂ ପିଏଫ ସେୟାରରେ ସେମାନଙ୍କୁ ୧୦% ନିଯୁକ୍ତିଦାତା ସେୟାର ମିଳୁଥିବା ବେଳେ ଓ ୧୦% କର୍ମଚାରୀ ସେୟାର ରହିଥିଲା ବୋଲି ସୂଚନା ମିଳିଛି।