ଘର ଖାଲି କରିବାକୁ ଏୟାର ଇଣ୍ଡିଆ କର୍ମଚାରୀଙ୍କୁ ନିର୍ଦ୍ଦେଶ, ହରତାଳ କରିବେ କର୍ମଚାରୀ…

ନୂଆଦିଲ୍ଲୀ,୧୪।୧୦: ଏୟାର ଇଣ୍ଡିଆର ନିଲାମ ପରେ ଏହାର କର୍ମଚାରୀଙ୍କ ଉପରେ ଏବେ ସଙ୍କଟ ଘନେଇବାରେ ଲାଗିଛି। ଏୟାର ଇଣ୍ଡିଆ ଟାଟା ସନ୍ସଙ୍କ ହାତକୁ ଯିବା ପରେ ବର୍ତ୍ତମାନ ଏୟାର ଇଣ୍ଡିଆର ୟୁନିଅନ ଧର୍ମଘଟ କରିବାକୁ ଯୋଜନା କରିଛି।

ଏୟାର ଇଣ୍ଡିଆର କର୍ମଚାରୀମାନଙ୍କ ୬ ମାସ ମଧ୍ୟରେ ଆବଣ୍ଟିତ ଘର ଖାଲି କରିବାକୁ କମ୍ପାନୀ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କର୍ମଚାରୀଙ୍କ ମଧ୍ୟରେ ଏହି ଆଦେଶ ବିରୁଦ୍ଧରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ୨୦୨୧ ନଭେମ୍ବର ୨ରୁ ହରତାଳ କରିବାକୁ ଏୟାର ଇଣ୍ଡିଆ ୟୁନିଅନ ମୁମ୍ବାଇର ଶ୍ରମ କମିଶନରଙ୍କୁ ସୂଚନା ଦେଇଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ନିୟମ ଅନୁଯାୟୀ ଧର୍ମଘଟ କରିବା ପୂର୍ବରୁ ୟୁନିଅନକୁ ୨ ସପ୍ତାହ ନୋଟିସ ଦେବା ଆବଶ୍ୟକ। ଏୟାର ଇଣ୍ଡିଆ ମିଳିତ କାର୍ଯ୍ୟ କମିଟି ପକ୍ଷରୁ ମୁମ୍ବାଇର ଆଞ୍ଚଳିକ ଶ୍ରମ କମିଶନରଙ୍କୁ ଏହି ବିଜ୍ଞପ୍ତି ଦିଆଯାଇଛି।

ଅକ୍ଟୋବର ୫ରେ କର୍ମଚାରୀମାନଙ୍କୁ ଏକ ନୋଟିସ୍‌ ମିଳିଥିଲା। ନୋଟିସ୍‌ରେ ଉଲ୍ଲେଖ କରାଯାଇଥିଲା ଯେ, କର୍ମଚାରୀମାନେ ୨୦ ଅକ୍ଟୋବର ୨୦୨୧ ସୁଦ୍ଧା ଏୟାର ଇଣ୍ଡିଆର ଘରୋଇକରଣର ୬ ମାସ ମଧ୍ୟରେ ଘର ଖାଲି କରିବାକୁ ଲିଖିତ ଆକାରରେ ଦେବେ। ଏହା କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି କରିଥିଲା।

Share