ବିନା ବେତନରେ ୬୦ମାସ ଯାଏଁ ଛୁଟିରେ ଯିବେ ଏୟାରଇଣ୍ଡିଆ କର୍ମଚାରୀ

ନୂଆଦିଲ୍ଲୀ,୧୫।୭: ସାରା ଦେଶରେ କରୋନା ସଙ୍କଟ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। କରୋନା ସଙ୍କଟ ଯୋଗୁ ସବୁ କ୍ଷେତ୍ର ପ୍ରଭାବିତ ହେବାରେ ଲାଗିଛି। ଫଳରେ ଦେଶର ଅର୍ଥନୀତି ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି। ଇତିମଧ୍ୟରେ ଏୟାର ଇଣ୍ଡିଆ ନିଜ କର୍ମଚାରୀଙ୍କୁ ୬ମାସରୁ ଆରମ୍ଭ କରି ୬୦ମାସ ପର୍ଯନ୍ତ ଛୁଟିରେ ପଠାଇବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ଏୟାର ଇଣ୍ଡିଆ ବୋର୍ଡ ପକ୍ଷରୁ ମଧ୍ୟ ଅନୁମତି ମିଳିସାରିଛି। ସୂଚନାଯୋଗ୍ୟ, ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ରାଜୀବ ବଂସଲଙ୍କୁ ଏୟାର ଇଣ୍ଡିଆର କେତେକ କର୍ମଚାରୀଙ୍କୁ ୫ବର୍ଷ ପର୍ଯ୍ୟନ୍ତ ଛୁଟିରେ ପଠାଇବାକୁ ସୁପାରିଶ କରିବାକୁ ବୋର୍ଡ ଅନୁମୋଦନ କରିଛନ୍ତି। ତେବେ ଏହି ଛୁଟି ଅବଧିରେ କର୍ମଚାରୀଙ୍କୁ ଦରମା ଦିଆଯିବ ନାହିଁ । ପ୍ରତ୍ୟେକ କର୍ମଚାରୀଙ୍କ ଦକ୍ଷତା, ସ୍ବାସ୍ଥ୍ୟ ଓ ଅନାବଶ୍ୟକତାକୁ ଆକଳନ କରାଯାଇ ସେମାନଙ୍କୁ ବାଧ୍ୟତାମୂଳକ ଛୁଟି ଦିଆଯିବ ବୋଲି ସୂଚନା ରହିଛି। କରୋନା ମହାମାରୀ ଯୋଗୁ ଭାରତ ଏବଂ ଅନ୍ୟ ଦେଶରେ ଯାତ୍ରା ପ୍ରତିବନ୍ଧକ କରାଯାଇଛି। ଫଳରେ ବିମାନ ଚଳାଚଳ କ୍ଷେତ୍ର ବିଶେଷ ପ୍ରଭାବିତ ହୋଇଛି। ତେଣୁ ଭାରତର ସମସ୍ତ ଏୟାରଲାଇନ୍ସ ନଗଦ ଖର୍ଚ୍ଚକୁ ବଞ୍ଚାଇବା ପାଇଁ ଦରମା ହ୍ରାସ ଓ କର୍ମଚାରୀଙ୍କୁ ଛୁଟିରେ ଯିବା ପରି ପଦକ୍ଷେପ ଗ୍ରହଣ କରିଛି।

Share