Categories: ଜାତୀୟ

କେରଳ ବିମାନ ଦୁର୍ଘଟଣା: ମୃତକଙ୍କ ପରିଜନଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା

କୋଝିକୋଡ,୮।୮: କେରଳର କୋଝିକୋଡରେ ଶୁକ୍ରବାର ରାତିରେ ହୋଇଥିବା ବିମାନ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୮ ଜଣଙ୍କ ମୃତ୍ୟୁ ହେଲାଣି। ଏଥିରେ ଆହତ ହୋଇଥିବା ଲୋକଙ୍କର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ଚାଲିଛି। ଏହି ଦୁର୍ଘଟଣାରେ ୧୨ ବର୍ଷ ବୟସରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲେ ସେମାନଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା, ମୃତକଙ୍କ ବୟସ ୧୨ ବର୍ଷରୁ କମ୍‌ ହୋଇଥିଲେ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି କେନ୍ଦ୍ର ସିଭିଲ ଆଭିଏଶନ ମିନିଷ୍ଟର ହରଦୀପ ସିଂ ପୁରୀ ଘୋଷଣା କରିଛନ୍ତି। ଯେଉଁମାନେ ଗୁରୁତର ଆହତ ହୋଇଛନ୍ତି ସେମାନଙ୍କୁ ୨ ଲକ୍ଷ ଓ ସାମାନ୍ୟ ଆହତକୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ପୁରୀ କହିଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟାରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନ କୋଝିକୋଡ ବିମାନ ବନ୍ଦରରେ ଅବତରଣ କରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲା। ଏଥିରେ ବିମାନଟି ଦୁଇଖଣ୍ଡ ହୋଇଯିବା ସହ ୨ ପାଇଲଟଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ଗୁରୁତର ଥିବାରୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। କ୍ରିୟୁ ମେମ୍ବରଙ୍କ ସମେତ ପ୍ରାୟ ୧୯୦ ଜଣ ଏହି ବିମାନରେ ଯାତ୍ରା କରୁଥିବା ସୂଚନା ରହିଛି।

Share