Categories: ଜାତୀୟ

ଯାତ୍ରୀଙ୍କ ପାଇଁ ଖୁସିଖବର: ଅଯୋଧ୍ୟା ପାଇଁ ଏହି ୩ ସହରରୁ ଆରମ୍ଭ ହେବ ବିମାନ ସେବା, ବିମାନବନ୍ଦର ଉଦ୍‌ଘାଟନ ପୂର୍ବରୁ ଏୟାର ଇଣ୍ଡିଆ ଏକ୍ସପ୍ରେସର ଘୋଷଣା

ନୂଆଦିଲ୍ଲୀ,୩୦।୧୨: ଡିସେମ୍ବର ୩୦ ଅଯୋଧ୍ୟା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନ ୧୨.୧୫ ରେ ଅଯୋଧ୍ୟାରେ ନିର୍ମିତ ନୂତନ ବିମାନବନ୍ଦର ଏବଂ ରେଳ ଷ୍ଟେଶନର ଉଦଘାଟନ କରିବାକୁ ଯାଉଛନ୍ତି। ଅଯୋଧ୍ୟାର ଏହି ବିମାନବନ୍ଦରର ନାମ ହେଉଛି ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ବିମାନବନ୍ଦର ଅଯୋଧ୍ୟା ଧାମ। ବିମାନ ବନ୍ଦର ଉଦ୍‌ଘାଟନ ପୂର୍ବରୁ ଏୟାର ଇଣ୍ଡିଆ ଏକ୍ସପ୍ରେସ ଶୁକ୍ରବାର ଦେଶର ତିନୋଟି ସହରରୁ ଅଯୋଧ୍ୟାକୁ ସିଧାସଳଖ ବିମାନ ସେବା ନେଇ ଘୋଷଣା କରିଛି। ଏୟାର ଲାଇନ୍ସ କହିଛି , ୨୦୨୪ ଜାନୟାରୀ ୧୭ରୁ ବେଙ୍ଗାଲୁରୁ ଏବଂ କୋଲକାତାରୁ ଅଯୋଧ୍ୟାକୁ ସିଧାସଳଖ ବିମାନ ଚଳାଚଳ କରିବ। ଏହା ବ୍ୟତୀତ ଏୟାର ଇଣ୍ଡିଆ ଏକ୍ସପ୍ରେସ ଜାନୁୟାରୀ ୩୦ରୁ ଦିଲ୍ଲୀ ଏବଂ ଅଯୋଧ୍ୟା ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବ।

ବେଙ୍ଗାଲୁରୁ ଏବଂ ଅଯୋଧ୍ୟା ମଧ୍ୟରେ ବିମାନ ଟାଇମ୍‌ ଟେବୁଲ ବିଷୟରେ ସୂଚନା ଦେଇ ଏୟାର ଇଣ୍ଡିଆ ଏକ୍ସପ୍ରେସ କହିଛି ଯେ, ଜାନୁୟାରୀ ୧୭ରେ ସକାଳ ୮.୦୫ରେ ପ୍ରଥମ ବିମାନ ଉଡାଣ ଭରିବ, ଯାହା ଅଯୋଧ୍ୟାରେ ସକାଳ ୧୦.୩୫ରେ ପହଞ୍ଚିବ। ସେହିପରି ଅଯୋଧ୍ୟାରୁ ଅପରାହ୍ନ ୩.୪୦ମିନିଟରେ ଉଡାଣ ଭରି ସନ୍ଧ୍ୟା ୬.୧୦ମିନିଟରେ ବେଙ୍ଗାଲୁରୁରେ ପହଞ୍ଚିବ। ଅଯୋଧ୍ୟାରୁ ପ୍ରଥମ ବିମାନ ଜାନୁୟାରୀ ୧୭ରେ ସକାଳ ୧୧.୦୫ରେ ଉଡାଣ ଭରିବ ଏବଂ ଦିନ ୧୨.୫୦ ରେ କୋଲକାତାରେ ପହଞ୍ଚିବ। ସେହିପରି କୋଲକାତାରୁ ଦିନ ୧.୨୫ରୁ ବାହାରି ଅପରାହ୍ନ ୩.୧୦ରେ ଅଯୋଧ୍ୟାରେ ପହଞ୍ଚିବ।

Share