ୟୁକ୍ରେନରୁ ଫେରିଲା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ,୨୪।୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନ ପୂର୍ବାଞ୍ଚଳର ବିଭିନ୍ନ ସ୍ଥାନରେ ରକେଟ୍‌ ମାଡ଼ କରାଯାଇଛି। ଏଥିଯୋଗୁ ୟୁକ୍ରେନ ଏହାର ଏୟାରସ୍ପେସ୍‌କୁ ବନ୍ଦ କରି ଦେଇଛି। ଏୟାରସ୍ପେସ୍‌ ବନ୍ଦ କରି ଦିଆଯାଇଥିବାରୁ ଏୟାର ଇଣ୍ଡିଆ ବିମାନ ସୁରକ୍ଷିତ ଭାବେ ଦିଲ୍ଲୀ ଫେରି ଆସିଛି। ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ଏହି ବିମାନ ଯାଇଥିଲା।

ପୁଟିନ ଗୁରୁବାର ସକାଳେ ୟୁକ୍ରେନର ଦୁଇ ବିଚ୍ଛିନ୍ନବାଦୀ ଅଞ୍ଚଳରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ପେଶାଲ ଫୋର୍ସକୁ ଅନୁମତି ଦେଇଛନ୍ତି। ଏହି ଦୁଇ ଅଞ୍ଚଳକୁ ସୋମବାର ସ୍ବାଧୀନ ରାଷ୍ଟ୍ର ମାନ୍ୟତା ଦେଇଥିଲା ରୁଷିଆ।

ୟୁକ୍ରେନକୁ ଯାଉଥିବା ସମସ୍ତ ବିମାନ ପାଇଁ ନୋଟିସ ଜାରି ହେବାରୁ ଏଆର ଇଣ୍ଡିଆ ବିମାନ ଫେରି ଆସିବାକୁ ନିଷ୍ପତ୍ତି ନେଇଥିଲା। ୟୁକ୍ରେନ ତା’ର ଯୁଦ୍ଧ ବିମାନର ବ୍ୟବହାର ପାଇଁ ଏୟାରସ୍ପେସ୍‌କୁ ବନ୍ଦ କରି ଦେଇଛି। ଉଲ୍ଲେଖଯୋଗ୍ୟ, ରୁଷିଆ ପ୍ରୋ ବିଚ୍ଛିନ୍ନବାଦୀ ଓ ୟୁକ୍ରେନ ମଧ୍ୟରେ ୨୦୧୪ ଜୁଲାଇରେ ହୋଇଥିବା ଯୁଦ୍ଧ ବେଳେ ମାଲେସିଆ ଏୟାରଲାଇନ୍ସର ଏକ ଫ୍ଲାଇଟ୍‌କୁ ଆକ୍ରମଣ କରାଯାଇଥିଲା। ଏଥିରେ ୨୯୮ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ। ଏହି ବିମାନକୁ ରୁଷିଆ ନିର୍ମିତ ବିୟୁକେ ଆଣ୍ଟି ଏୟାରକ୍ରାଫ୍ଟ ମିସାଇଲ ମାଡ଼ କରିଥିଲା ବୋଲି ତଦନ୍ତକାରୀ ସନ୍ଦେହ କରୁଛନ୍ତି।

Share