Categories: ବାଣିଜ୍ୟ

ନୂଆ ରୂପରେ ଏୟାର ଇଣ୍ଡିଆ

ଭୁବନେଶ୍ୱର,୧୧।୮:ଏୟାର ଇଣ୍ଡିଆର ନୂଆ ଲୋଗୋ ଏବଂ ରଙ୍ଗକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଗୁରୁବାର ଦିଲ୍ଲୀଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କମ୍ପାନୀର ନୂଆ ଲୋଗୋ ଓ ରଙ୍ଗକୁ ଉନ୍ମୋଚନ କରାଯାଇଛି। ବିଶେଷକରି ଟାଟା ଗ୍ରୁପ୍‌ ମାଲିକାନାରେ ଥିବା ଏୟାର ଇଣ୍ଡିଆ ଆଉ ଏକ ପାଦ ଆଗକୁ ବଢ଼ିବା ସହ ନୂଆ ରୂପରେ ଯାତ୍ରୀ ସେବା ଯୋଗାଇବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏପରିକି ଏୟାର ଇଣ୍ଡିଆର ଲୋଗୋ ଏବଂ ବିମାନର ରୂପରେଖରେ ଅନେକ ପରିବର୍ତ୍ତନ ହୋଇଛି। ସେହିଭଳି ନୂଆ ଲୋଗୋରେ ପୂର୍ବଭଳି ଲାଲ୍‌ ଏବଂ ଧଳା ରହିଥିବାବେଳେ ନୂଆକରି ବାଇଗଣୀ ରଙ୍ଗକୁ ମଧ୍ୟ ସେଥିରେ ସ୍ଥାନ ଦିଆଯାଇଛି। ଏ ସମ୍ପର୍କରେ ଟାଟା ସନ୍ସର ଅଧ୍ୟକ୍ଷ ଚନ୍ଦ୍ରଶେଖରନ କହିଛନ୍ତି, ବ୍ରାଣ୍ଡ୍‌ର ନୂଆ ଲୋଗୋ ଏୟାରଲାଇନର ଅସୀମ ସମ୍ଭାବନା ଏବଂ ଆତ୍ମବିଶ୍ବାସକୁ ଦର୍ଶାଉଛି।
ସୂଚନାଯୋଗ୍ୟ, ୨୦୨୨ ଜାନୁୟାରୀରେ ଟାଟା ସନ୍ସ ଏୟାର ଇଣ୍ଡିଆକୁ ଅଧିଗ୍ରହଣ କରିଥିଲା। ପରବର୍ତ୍ତୀ ସମୟରେ ଏୟାର ଇଣ୍ଡିଆ ଏବଂ ଭିସ୍ତାରାର ମିଶ୍ରଣ ନେଇ ମଧ୍ୟ କମ୍ପାନୀ ଘୋଷଣା କରିଥିଲା। ଏହି ମିଶ୍ରଣ ୨୦୨୪ ସୁଦ୍ଧା ସାରିବାକୁ ଟାଟା ଗ୍ରୁପ୍‌ ଲକ୍ଷ୍ୟ ରଖିଛି।

Share