୨୧୯ ଭାରତୀୟଙ୍କୁ ନେଇ ରୋମାନିୟାରୁ ଭାରତ ବାହାରିଲା ପ୍ରଥମ ବିମାନ

ନୂଆଦିଲ୍ଲୀ,୨୬ ।୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଭିତରେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ମଧ୍ୟରୁ ରୋମାନିୟା ଚାଲିଆସିଥିବା ୨୧୯ ଭାରତୀୟଙ୍କୁ ନେଇ ଏୟାର ଇଣ୍ଡିଆର ପ୍ରଥମ ବିମାନ ମୁମ୍ବାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଶନିବାର ସକାଳେ ବିମାନଟି ରୋମାନିୟାରେ ପହଞ୍ଚି ଭାରତୀୟଙ୍କୁ ଧରି ଫେରୁଥିବା ବେଳେ ଏହା ସନ୍ଧ୍ୟା ୩ଟାରୁ ୪ଟା ମଧ୍ୟରେ ମୁମ୍ବାଇରେ ପହଞ୍ଚିବ ବୋଲି କୁହାଯାଉଛି । ତେବେ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଆମ ଟିମ ୨୪ ଘଣ୍ଟା କାର୍ଯ୍ୟ କରୁଥିବା କହିଛନ୍ତି ବୈଦେଶିକ ମନ୍ତ୍ରୀ ଡ. ଏସ୍ ଜୟଶଙ୍କର । ସେ କହିଛନ୍ତି ମୁଁ ବ୍ୟକ୍ତିଗତ ଭାବେ ଏହା ଉପରେ ନଜର ରଖିଛି । ତେବେ ଉଦ୍ଧାର ହୋଇଥିବା ଭାରତୀୟମାନେ ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କ ପାଇଁ ଏକ ବିଶେଷ କରିଡର ବ୍ଲକ କରି ଦିଆଯାଇଛି । ସେଠାରେ ସେମାନେ କରୋନା ନେଗେଟିଭ ଓ କରୋନା ଟିକାକରଣ ସାର୍ଟିଫିକେଟ ପ୍ରସ୍ତୁତ କରିବେ । ଯଦି କୌଣସି ଯାତ୍ରୀଙ୍କ ନିକଟରେ କରୋନା ଟିକାକରଣ ବା ଆରଟିପିସିଆର ଟେଷ୍ଟ ରିପୋର୍ଟ ନ ଥିବ ତେବେ ଏୟାରପୋର୍ଟ ପ୍ରଶାସନର ଖର୍ଚ୍ଚରେ ଏହା ପ୍ରସ୍ତୁତ କରାଯିବ ।

Share