ନୂଆଦିଲ୍ଲୀ,୨୨।୭: ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆ ପକ୍ଷରୁ ଏହାର କ୍ୟାବିନ କ୍ରିଉ ଏବଂ କକ୍ପିଟ୍ରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ବେତନ ଏପ୍ରିଲ ପହିଲାଠାରୁ ହ୍ରାସ କରିଛି। ଏହି ବର୍ଗରେ ୪୦% ବେତନ ହ୍ରାସ କରାଯାଇଥିବା ବିମାନ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏଭଳି ଭାବେ କେତେ ଦିନ ଯାଏ ହ୍ରାସ ହୋଇଥିବା ବେତନ କର୍ମଚାରୀ ଲାଭ କରିବେ ସେ ନେଇ କମ୍ପାନୀ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ମାତ୍ର ବେତନ ହ୍ରାସ ପ୍ରାୟ ୮୫% ରହିଥିବା ପାଇଲଟ କହିଥିବା ବେଳେ ୪୦%ରୁ ଅଧିକ ବେତନ ହ୍ରାସ ହେଉଥିବା ନେଇ କ୍ରିଉ କହିଛନ୍ତି। କର୍ମଚାରୀଙ୍କୁ ବେତନ ଦେବା ଲାଗି ଏୟାର ଇଣ୍ଡିଆକୁ ମାସକୁ ୨୩୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ବେତନ ହ୍ରାସ ଦ୍ୱାରା କେତେ ଟଙ୍କା ସଞ୍ଚୟ ହେବ ବୋଲି ମଧ୍ୟ କମ୍ପାନୀ କିଛି କହିନାହିଁ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମଞ୍ଜୁରୀ ଏବଂ କମ୍ପାନୀ ବୋର୍ଡର ନିଷ୍ପତ୍ତି କ୍ରମେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଏୟାର ଇଣ୍ଡିଆର ଇଣ୍ଡଷ୍ଟ୍ରିଆଲ ରିଲେସନ ଜିଏମ୍ ମୀନାକ୍ଷୀ କଶ୍ୟପ ସୂଚନା ଦେଇଛନ୍ତି।