ବାୟୁପ୍ରଦୂଷଣ ଯୋଗୁ ସ୍ମୃତି ଶକ୍ତି ପାଉଛି ହ୍ରାସ, ମସ୍ତିଷ୍କ ଫୁଲି ଯାଉଛି…

ଓ୍ବାଶିଂଟନ,୧।୧୧ : ବାୟୁରେ ଥିବା ପ୍ରଦୂଷଣର ଛୋଟ କଣିକା ମଣିଷଠାରେ ପାର୍କିନସନ ସମସ୍ୟା ସୃଷ୍ଟି କରୁଛି। ଫଳରେ ସ୍ମୃତି ଶକ୍ତି ହ୍ରାସ ପାଉଛି। ଏହି କଣିକା ଯୋଗୁ ମସ୍ତିଷ୍କ ଫୁଲି ଯାଉଛି। ୫୬ ପ୍ରତିଶତ ପର୍ଯ୍ୟନ୍ତ ଏହାର ବିପଦ ମଣିଷମାନଙ୍କଠାରେ ଦେଖାଯାଇଛି। ଅଧ୍ୟୟନରୁ ଜଣାପଡିଛି ପିଏମ ୨.୫ କିମ୍ବା ତା’ଠାରୁ କମ ଆକାରର ପ୍ରଦୂଷିତ କଣିକା ଶ୍ୱାସକ୍ରିୟା ମାଧ୍ୟମରେ ମସ୍ତିଷ୍କରେ ପହଞ୍ଚେ ଏବଂ ଏହା ପରେ ମସ୍ତିଷ୍କରେ ଫୁଲା ସୃଷ୍ଟି ହେଉଛି।

ନ୍ୟୁରୋଲୋଜି ମେଡିକାଲ ଜର୍ନାଲରେ ପ୍ରକାଶିତ ଏହି ଅଧ୍ୟୟନରେ ଆମେରିକାର ଅନୁସନ୍ଧାନକାରୀମାନେ ମଧ୍ୟ ଜାଣିବାକୁ ପାଇଛନ୍ତି ବାୟୁ ପ୍ରଦୂଷଣ ଏବଂ ପାର୍କିନସନ ସମସ୍ୟା ଦେଶର ପ୍ରତ୍ୟେକ ଭାଗରେ ସମାନ ନୁହେଁ। ଅନୁସନ୍ଧାନକାରୀମାନେ ଆମେରିକାର ୨.୨୦ କୋଟି ଲୋକଙ୍କଠାରୁ ସଂଗୃହିତ ତଥ୍ୟ ଉପରେ ଏହି ଅଧ୍ୟୟନ କରିଛନ୍ତି ଯେଉଁଥିରେ ମାନସିକ ବିକୃତି ସହ ଜଡିତ ମୋଟ ୯୦ ହଜାର ଲୋକଙ୍କୁ ଚୟନ କରାଯାଇଥିଲା।

ଏହା ପରେ ସେମାନଙ୍କ ଘର, ଆଖପାଖ ପରିବେଶ ଏବଂ ରାଜ୍ୟ ବିଷୟରେ ସୂଚନା ସଂଗ୍ରହ କରାଯାଇଥିଲା। ଆମେରିକାର ବାରୋ ନ୍ୟୁରୋଲୋଜିକାଲ ଇନଷ୍ଟିଚ୍ୟୁଟର ମୁଖ୍ୟ ଗବେଷକ, ପ୍ରଫେସର ବ୍ରିଟାନି କ୍ରାଇଜାନୋସ୍କି କହିଛନ୍ତି ଜଣେ ବ୍ୟକ୍ତିଙ୍କ ପୂର୍ବ ଏବଂ ପରବର୍ତ୍ତୀ ସୂକ୍ଷ୍ମ ପ୍ରଦୂଷିତ କଣିକାର ସଂସ୍ପର୍ଶରେ ଆସିବା ବିଷୟରେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଇଥିଲା। ଏହି ସମୟରେ ଏହା ଜଣାପଡିଥିଲା ଓହିଓ ନଦୀ ଉପତ୍ୟକା, କେନ୍ଦ୍ରୀୟ ଉତ୍ତର ଡାକୋଟା, ଟେକ୍ସାସର କିଛି ଅଂଶ, କାନସାସ, ପୂର୍ବ ମିସିଗାନ ଏବଂ ଫ୍ଲୋରିଡାର କିଛି ଅଂଶ ପାର୍କିନସନ ସମସ୍ୟାପାଇଁ ହଟସ୍ପଟ ପାଲଟିଛି।

Share