Categories: ଜାତୀୟ

ପ୍ରଦୂଷଣ ମୃତ୍ୟୁରେ ଚାଇନା ପରେ ଏବେ ଦ୍ୱିତୀୟ ସ୍ଥାନରେ ଭାରତ

ନୂଆଦିଲ୍ଲୀ,୧।୧୨: ବିଭିନ୍ନ ଉତ୍ସରୁ ହେଉଥିବା ବାୟୁ ପ୍ରଦୂଷଣ ଯୋଗୁ ଭାରତରେ ପ୍ରତିବର୍ଷ ୨୧.୮ ଲକ୍ଷ ଲୋକଙ୍କ ଜୀବନ ଯାଉଛି। ପ୍ରଦୂଷଣ ମୃତ୍ୟୁରେ ଚାଇନା ପରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଥିବା ବିଏମ୍‌ଜିରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି।

ଶିଳ୍ପ, ବିଦ୍ୟୁତ୍‌ ଉତ୍ପାଦନ ଏବଂ ପରିବହନରେ କୋଇଲାକୁ ଇନ୍ଧନ ଭାବେ ବ୍ୟବହାର କରାଯିବା ଯୋଗୁ ବିଶ୍ୱବ୍ୟାପୀ ପ୍ରତିବର୍ଷ ଅଧିକ ୫୧ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି। ୨୦୧୯ରେ ବିଭିନ୍ନ ଉତ୍ସରୁ ହେଉଥିବା ବାୟୁ ପ୍ରଦୂଷଣ ଯୋଗୁ ବିଶ୍ୱବ୍ୟାପୀ ମୋଟ ୮୩ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିବା ଆକଳନ କରାଯାଇଛି।

ବର୍ତ୍ତମାନର ପ୍ରଦୂଷଣ ମୃତ୍ୟୁ ଏହାର ୬୧ ପ୍ରତିଶତ ରହିଛି। ଜୀବାଶ୍ମ ଇନ୍ଧନ ପରିବର୍ତ୍ତେ ସ୍ବଚ୍ଛ ଇନ୍ଧନ ଏବଂ ଅକ୍ଷୟ ଶକ୍ତିର ବ୍ୟବହାର ଯୋଗୁ ବାୟୁ ପ୍ରଦୂଷଣଜନିତ ମୃତ୍ୟୁସଂଖ୍ୟା ହ୍ରାସ ପାଇଥିବା ଗବେଷକମାନେ କହିଛନ୍ତି।

ଜର୍ମାନୀର ମାକ୍ସ ପ୍ଲାଙ୍କ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କେମେଷ୍ଟ୍ରିର ଗବେଷକମାନେ ଜୀବାଶ୍ମ ଇନ୍ଧନ ଜନିତ ବାୟୁ ପ୍ରଦୂଷଣର ନିର୍ଦ୍ଦିଷ୍ଟ କାରଣ ଆକଳନ ଲାଗି ନୂଆ ମଡେଲ୍‌ର ବ୍ୟବହାର କରିଥିଲେ। ଏଥିସହିତ ଫସିଲ୍‌ ଫୁଏଲ୍‌ ବଦଳରେ ସ୍ବଚ୍ଛ ଓ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ବ୍ୟବହାର ପାଇଁ ଥିବା ନୀତିର ସମ୍ଭାବ୍ୟ ସ୍ବାସ୍ଥ୍ୟଗତ ସୁବିଧା ଉପରେ ଆକଳନ କରାଯାଇଛି। ଗ୍ଲୋବାଲ ବର୍ଡନ ଅଫ୍‌ ଡିଜିଜ୍‌ ୨୦୧୯ ଅଧ୍ୟୟନର ତଥ୍ୟ, ନାସା ସାଟେଲାଇଟ୍‌ ଭିତ୍ତିକ ସୂକ୍ଷ୍ମ କଣିକା, ଜନସଂଖ୍ୟା ତଥ୍ୟ, ବାୟୁମଣ୍ଡଳୀୟ ରସାୟନ, ଏରୋସୋଲ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବିପଦ ମଡେଲିଂ ଆଧାରରେ ଗବେଷକମାନେ ଅଧ୍ୟୟନ କରିଥିଲେ।

Share