Categories: ରାଜ୍ୟ

ଦୀପାବଳି ବାଣଫୁଟା ଯୋଗୁଁ ବଢ଼ିଲା ରାଜ୍ୟର ବାୟୁପ୍ରଦୂଷଣ ମାତ୍ରା

ଭୁବନେଶ୍ୱର,୧୩ା୧୧: ଦୀପାବଳିରେ ବାଣଫୁଟା ଯୋଗୁଁ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର କେତେକ ସହରର ବାୟୁର ଗୁଣାତ୍ମକ ସୂଚକାଙ୍କ ବୃଦ୍ଧି ପାଇଛି । ଆତସବାଜିରେ ଥିବା କ୍ଷତିକାରକ ରାସାୟିକ ପଦାର୍ଥ ଓ ଧୂଳିକଣା
ବାୟୁମଣ୍ଡଳରେ ପ୍ରବେଶ କରି ବାୟୁର ମାନକୁ ହ୍ରାସ କରିଛି । ରବିବାର ରାତି ଓ ସୋମବାର ସକାଳ ସୁଦ୍ଧା ଭୁବନେଶ୍ୱରର କେତେକ ସ୍ଥାନରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୩୦୦ରୁ ୪୦୦ ପହଁଞ୍ଚିଥିବା ଜଣାପଡ଼ିଛି ।

ସାଧାରଣତଃ ନଭେମ୍ବର ମାସରେ ବାୟୁ ଚଳାଚଳ କମ୍‍ ରହିଥାଏ । ଫଳରେ ବାୟୁରେ ଥିବା ବିଭିନ୍ନ ପ୍ରଦୂଷଣକାରୀ ତଥା କ୍ଷତିକାରକ ପଦାର୍ଥ ଭୂମିପତନଠାରୁ ଅଳ୍ପଦୂରରେ ସ୍ଥିର ରହିଥାଏ । ଏହି ପ୍ରଦୂଷିତ ବାୟୁକୁ ପ୍ରଶ୍ୱାସରେ ଗ୍ରହଣ କରିବା ଦ୍ୱାରା ଲୋକମାନେ ଶ୍ୱସନ ସମ୍ବନ୍ଧୀୟ ସମସ୍ୟା ଭୋଗିଥାନ୍ତି । ସାଧାରଣତଃ ଶୂନରୁ ୫୦ ଏୟାର କ୍ୱାଲିଟି ଇଣ୍ଡେକ୍ସ ରହିଲେ
ବାୟୁର ମାନ ଭଲ ଥାଏ । ୫୧ରୁ ୧୦୦ ମଧ୍ୟରେ ରହିଲେ ଏହା ସ୍ୱାଭାବିକ ସ୍ଥିତି ବୋଲି ବିବେଚିତ ହୋଇଥାଏ । ମାତ୍ର ଏହାଠୁ ଅଧିକ ହେଲେ ଏହା ବିଶେଷ କରି ଶ୍ୱାସରୋଗୀଙ୍କ ପାଇଁ ବିପଦ ବଢ଼ାଇଥାଏ ।

ବାୟୁର ଗୁଣାତ୍ମକମାନକୁ ସୁରକ୍ଷିତ ରଖିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି । ବନୀକରଣ ଠାରୁ ଆରମ୍ଭ କରି ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ଏପରିକି ଏହି ସମୟରେ ସହରାଞ୍ଚଳରେ ଧୂଳିକଣା ସୃଷ୍ଟି କରୁଥିବା ନିର୍ମାଣ କାର୍ଯ୍ୟ ଉପରେ ମଧ୍ୟ କେତେକ କଟକଣା ରହିଛି । ବାୟୁ ପ୍ରଦୂଷଣକୁ ରୋକିବା
ଦିଗରେ ଜନଭାଗିଦାରୀକୁ ବଢ଼ାଇବା ପାଇଁ ସରକାର ବିଭିନ୍ନ ସଚେତନ ଧର୍ମୀ କାର୍ଯ୍ୟକ୍ରମ ଜରିଆରେ ଲୋକମାନଙ୍କୁ ପରାମର୍ଶ ଦେଉଛନ୍ତି ।

Share