୧୫ ସହରରେ ସ୍ବୟଂକ୍ରିୟ ବାୟୁ ପ୍ରଦୂଷଣ ପରିଚାଳନା ଷ୍ଟେଶନ

ଭୁବନେଶ୍ୱର,୧୬ା୧୦(ବ୍ୟୁରୋ): ରାଜ୍ୟର ୧୫ଟି ବାୟୁ ପ୍ରଦୂଷଣ ସମ୍ବେଦନଶୀଳ ସହରରେ ପ୍ରଦୂଷଣ ମାପିବା ପାଇଁ ସ୍ବୟଂକ୍ରିୟ ବାୟୁ ପ୍ରଦୂଷଣ ପରଚିାଳନା ଷ୍ଟେଶନ ସ୍ଥାପନ ହେବ। କଟକ, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ, ଅନୁଗୋଳ ଏବଂ ଖୋର୍ଦ୍ଧା ଜିଲାର ବିଭିନ୍ନ ସହରରେ ୧୫ଟି ଷ୍ଟେଶନ ସ୍ଥାପନ କରାଯିବ। ଗୁରୁବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଡିଜିଟାଲ ମୋଡ୍‌ରେ ଅନୁଷ୍ଠିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଚାଳନା ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହି କାର୍ଯ୍ୟ ସମାପ୍ତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସେହି ସବୁ ଷ୍ଟେଶନରୁ ବହୁ ପରିମାଣରେ ସାଙ୍କେତିକ ତଥ୍ୟ ମିଳି ପାରିବ। ସେ ସବୁର ବୈଜ୍ଞାନିକ ଅନୁଧ୍ୟାନ ଏବଂ ଅନୁଶୀଳନ କରି ଶିଳ୍ପାନୁଷ୍ଠାନ ଓ ନାଗରିକମାନଙ୍କ ଅବଗତି ଓ ସଚେତନତା ପାଇଁ ଓ୍ବେବ୍‌ସାଇଟ୍‌ରେ ଅପଲୋଡ୍‌ କରାଯିବ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ବାୟୁ ଓ ଜଳର ସ୍ବଚ୍ଛତା ସ୍ତର ବିଷୟରେ ସର୍ବସାଧାରଣଙ୍କ ସଚେତନତା ନିମନ୍ତେ ଏକ ଓ୍ବେବ୍‌ ପୋର୍ଟାଲ ପ୍ରସ୍ତୁତି ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକରେ ବୋର୍ଡର ମେମ୍ବର ସେକ୍ରେଟାରି କେ. ମୁରୁଗେସେନ ଓ ଅନ୍ୟାନ୍ୟ ଅଧିକାରୀ ଯୋଗ ଦେଇଥିଲେ।

Share