ପ୍ରକୃତି ତାହାର ପରିବେଶକୁ ସଜାଡ଼ିବାକୁ ମଧ୍ୟ ପ୍ରୟାସ କରିଥାଏ। ପ୍ରାକୃତିକ ଉପାୟରେ ବାୟୁମଣ୍ଡଳର ବିଶୋଧନ ଏହାର ଏକ ଉଦାହରଣ। ବଜ୍ରପାତ ଓ ବିଜୁଳି ଦ୍ୱାରା ବାୟୁମଣ୍ଡଳ ଟ୍ରାଟୋସ୍ପିୟରରେ ଓଜୋନ୍ ବାଷ୍ପର ସୃଷ୍ଟି ହୋଇଥାଏ। ଓଜନ ଏକ ବିଶୋଧକ ଏବଂ ଏହା ବାୟୁମଣ୍ଡଳ ବିଶୋଧନରେ ସହାୟକ ହୋଇଥାଏ। ତେଣୁ ବଜ୍ରପାତ ଓ ବିଜୁଳି ପରେ ଆମକୁ ତାଜା ଏବଂ ସ୍ବଚ୍ଛ ବାୟୁର ବାତାବରଣ ଅନୁଭୂତ ହୋଇଥାଏ। ସେହିପରି ଟାଣ ଖରାରେ ଲୁଗାପଟା ଶୁଖାଇଲା ପରେ ସେଥିରୁ ମଧ୍ୟ ଏହା ଅନୁଭବ ହୋଇଥାଏ। ବିଜୁଳି ସମୟରେ ବାୟୁ ୩୦,୦୦୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଉତ୍ତପ୍ତ ହୋଇଥାଏ। ବାୟୁର ବିସ୍ତାର ଦ୍ୱାରା ବଜ୍ର ଧ୍ୱନି ସୃଷ୍ଟି ହୋଇଥାଏ, ଯାହା କି ଆମେ ଶୁଣିଥାଉ। ତେଣୁ ବିଜୁଳି ପରେ ଘଡଘଡି ଶବ୍ଦ ଆସିଥାଏ। ବିଜୁଳି ଦ୍ୱାରା ବାୟୁ ଉତ୍ତପ୍ତ ହୋଇ ଅମ୍ଳଜାନ ଅଣୁ ଭାଙ୍ଗି ପରମାଣୁରେ ପରିଣତ ହୋଇଥାଏ। ଅମ୍ଳଜାନ ପରମାଣୁ କିଛି ଅମ୍ଳଜାନ ଅଣୁ ସହ ମିଶି ଓଜନ ଅଣୁରେ ପରିଣତ ହୋଇଥାଏ। ତେଣୁ ଏହିପରି ଟ୍ରାପୋସ୍ପିୟରରେ ଓଜନ ଅଣୁର ସୃଷ୍ଟି ହୋଇଥାଏ, ଯାହାଦ୍ୱାରା ବଜ୍ରପାତ ପରେ ଆମକୁ ଘର ବାହାରେ ଓଜୋନ ବାଷ୍ପର ସ୍ବଚ୍ଛତା ବାରି ହୋଇଥାଏ। ଏହାଦ୍ୱାରା ବାୟୁ ଅପେକ୍ଷାକୃତ ଭାବେ ତାଜା ହୋଇଯାଏ। ଓଜୋନ ଅକ୍ସିଡେସନ ଦ୍ୱାରା ବାୟୁମଣ୍ଡଳରେ ଥିବା ଜୀବାଣୁ ଓ ଭୂତାଣୁ ଆଦିକୁ ନଷ୍ଟ କରିବାରେ ସକ୍ଷମ ହୋଇଥାଏ। ତେଣୁ ବାୟୁମଣ୍ଡଳ ଅପେକ୍ଷାକୃତ ଭାବେ ଶୁଦ୍ଧ ହୋଇଥାଏ, ଯାହା ଆମ ବଜ୍ରପାତ ପରେ ଅନୁଭବ କରିଥାଉ। ଓଜୋନର ବ୍ୟାକ୍ଟେରିୟାକୁ ମାରିବାର କ୍ଷମତା କ୍ଲୋରିନ୍ଠାରୁ ୩୨୦୦ଗୁଣା ଅଧିକ। କରୋନା ମହାମାରୀ ସମୟରେ ବଜ୍ରପାତ ଓ ବିଜୁଳି ଆମକୁ ବିଶୁଦ୍ଧ ବାୟୁମଣ୍ଡଳ ଦେଇପାରୁଛି, ଯାହା କି ପ୍ରକୃତିଦତ୍ତ ବାୟୁମଣ୍ଡଳକୁ ବିଶୁଦ୍ଧ କରିବା ପାଇଁ କୋଭିଡ୍-୧୯ ଉପଲକ୍ଷେ ଆମ ଦେଶ ଓ ଅନ୍ୟ ଦେଶରେ ବିଶୋଧନ କରାଯାଉଥିବା ବେଳେ ପ୍ରକୃତି ସ୍ବୟଂ ବିଶୋଧନ କରିପାରୁଛି।
ଡ. ମାନସ ରଞ୍ଜନ ସେନାପତି
-ଡିନ୍, ବିଜ୍ଞାନ, ବିଜୁ ପଟ୍ଟନାୟକ
ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର
ମୋ : ୯୪୩୭୨୩୭୭୯୭