ବିମାନ ଯାତ୍ରା ସମୟରେ କରୋନା ସଂକ୍ରମଣ ହେଲେ ଏୟାରଲାଇନ୍‌ ଖର୍ଚ୍ଚ କରିବ ୪.୮ କୋଟି ଟଙ୍କା

ଲଣ୍ଡନ,୨୫।୮: ଭର୍ଜିନ ଆଟଲାଣ୍ଟିକ ଏୟାର ଲାଇନ୍ସ ଏବେ ତା’ର ଯାତ୍ରୀଙ୍କ ପାଇଁ ଏକ ଭଲ ଅଫର ନେଇ ଆସିଛି। ଏବେ ଏୟାରଲାଇନ୍ସ ତା’ର ସମସ୍ତ ଯାତ୍ରୀଙ୍କର ଗ୍ଲୋବାଲ ଇନସ୍ୟୁରାନ୍ସ କରାଇବ। ଏଥିରେ ପ୍ରତ୍ୟେକ ଯାତ୍ରୀଙ୍କୁ ୫ ଲକ୍ଷ ପାଉଣ୍ଡ(ପାଖାପାଖି୪.୮କୋଟି ଟଙ୍କା) ଇନସ୍ୟୁରାନ୍ସ କଭର ଦିଆଯିବ। ଏଥିରେ ଏୟାର ଲାଇନ୍‌ କହିଛି ଯଦି ଯାତ୍ରା ସମୟରେ କେହି ଯାତ୍ରୀ କରୋନାରେ ପୀଡ଼ିତ ହୁଅନ୍ତି ତେବେ ତାଙ୍କ ପାଇଁ ୪.୮କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏ ଖର୍ଚ୍ଚ ଇନସ୍ୟୁରାନ୍ସ କମ୍ପାନୀ ବହନ କରିବ। ଇନସ୍ୟୁରାନ୍ସ କମ୍ପାନୀ ଯାତ୍ରୀଙ୍କ ଚିକିତ୍ସା ସହ ଏମରଜେନ୍ସି ମେଡିକାଲ କଷ୍ଟ, ଟ୍ରାନ୍ସପୋଟେଶନ, ରହଣି ସହ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ବହନ କରିବ। କେବଳ ଏତିକି ନୁହେଁ ଯାତ୍ରା ସମୟରେ ଯଦି କେହି ଯାତ୍ରୀଙ୍କୁ କ୍ୱାରାଣ୍ଟାଇନ କରାଗଲା ସେଥିପାଇଁ ୩୦୦୦ପାଉଣ୍ଡ (୨.୯୨ଲକ୍ଷ ଟଙ୍କା) ଖର୍ଚ୍ଚ କରିବ ଇନସ୍ୟୁରାନ୍ସ କମ୍ପାନୀ। ଏୟାରଲାଇନ୍ସ ୩୦ ସେପ୍ଟେମ୍ବର ୨୦୨୨ପର୍ଯ୍ୟନ୍ତ ଉପଲବ୍ଧ ବୁକିଂ ସହ ବିମାନ ଉଡାଣରେ ଦୁଇଟି ତାରିଖ ବଦଳାଇବାର ବିକଳ୍ପ ରଖିଛି। ଭର୍ଜିନ ଆଟଲାଣ୍ଟିକର ଚିଫ୍‌ କମରସିଆଲ ଅଫିସର ଜୁହା ଜର୍ବିନେନ କହିଛନ୍ତି ୨୪ ଅଗଷ୍ଟରୁ ଆସନ୍ତା ୩୧ ମାର୍ଚ୍ଚ ମଧ୍ୟରେ ତାଙ୍କ ଏୟାରଲାଇନ୍‌ରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କୁ ଗ୍ଲୋବାଲ ଇନସ୍ୟୁରାନ୍ସ କଭର ସୁବିଧା ମିଳିବ। ଏହାର ଉଦ୍ଦେଶ୍ୟ ହେଉଛି ଏୟାରଲାଇନ୍ସ ପ୍ରଥମେ ଯାତ୍ରୀଙ୍କ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେଉଛି। ବାରବାଡୋସ ପରେ ଏବେ ଏହା ଦିଲ୍ଲୀ-ଲଣ୍ଡନ ଓ ମୁମ୍ବାଇ-ଲାଗୋସ ଯାତ୍ରା କରିବାର ଯୋଜନା କରିଛି। ଏମିତି ଅଫର ମିଳିବା ପରେ ଯାତୀମାନେ ଏବେ ବିନା ଡରରେ ଯାତ୍ରା କରିବେ ବୋଲି ଏୟାର ଲାଇନ୍ସ ପକ୍ଷରୁ କୁହାଯାଇଛି। ଭର୍ଜିନ ଆଟଲାଣ୍ଟିକ ଏୟାର ଲାଇନ୍ସରେ ଟିକେଟ ବୁକ୍‌ କରିବା ପରେ ପରେ ଆପଣାଛାଏଁ ଯାତ୍ରୀଙ୍କର କୋଭିଡ-୧୯ କଭର ହୋଇଯିବ। ଏଥିପାଇଁ ଅତିରିକ୍ତ ଶୁଳ୍କ ଦେବାକୁ ପଡିବ ନାହିଁ। ଡେଲଟା ଏୟାର ଲାଇନ୍ସ ଓ ଏୟାର ଫ୍ରାନ୍ସ ସହ ଏହାର ଜଏଣ୍ଟ ଭେଞ୍ଚର ରହିଛି। ତେଣୁ ଏହି ଦୁଇଟି ଏୟାର ଲାଇନ୍ସରେ ଟିକେଟ ବୁକ୍‌ କଲେ ବି କୋଭିଡ-୧୯ କଭର ମିଳିବ।

Share