Categories: ଜାତୀୟ

ଦିବ୍ୟାଙ୍ଗଙ୍କୁ ନେବାକୁ ମନାକରିପାରିବେ ନାହିଁ ଏୟାରଲାଇନ୍ସ: ଡିଜିସିଏ

ନୂଆଦିଲ୍ଲୀ,୪।୬: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ପକ୍ଷରୁ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ନର୍ଦ୍ଦେଶ ଜାରି କରାଯାଇଛି। ଦେଶର କୌଣସି ଦିବ୍ୟାଙ୍ଗଙ୍କୁ ବିମାନରେ ଯାତ୍ରା କରିବାକୁ ଏୟାରଲାଇନ୍ସ ମନା କରିପାରିବେ ନାହିଁ ବୋଲି ଉକ୍ତ ନିର୍ଦ୍ଦେଶରେ କୁହାଯାଇଛି। ଶୁକ୍ରବାର ଡିଜିସିିଏ ନିଜ ନିୟମରେ ସଂଶୋଧନ କରି କହିଛନ୍ତି, କୌଣସି ଏୟାରଲାଇନ୍ସ କର୍ତ୍ତୃପକ୍ଷ ଦିବ୍ୟାଙ୍ଗଙ୍କୁ ବିମାନରେ ଯିବାକୁ ମନା କରିପାରିବେ ନାହିଁ। ଏଥିସହ ସେ କହିଛନ୍ତି, ଯଦି କୌଣସି ଏୟାରଲାଇନ୍ସ ଅନୁଭବ କରୁଛନ୍ତି ଯେ, ଯାତ୍ରା ସମୟରେ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିପାରେ ତେବେ ସେହି ସମୟରେ ଯାତ୍ରୀଙ୍କ ଯାଞ୍ଚ ଡାକ୍ତରଙ୍କ ଦ୍ୱାରା କରାଯାଇପାରିବ। ଏଥିରେ ଡାକ୍ତରଙ୍କ ଚିକିତ୍ସା କରି ସ୍ପଷ୍ଟ କରିବେ ଯେ, ବର୍ତ୍ତମାନ ଯାତ୍ରୀଙ୍କ ସ୍ଥିତି ଏବଂ ଉଡ଼ାଣ ପାଇଁ ସେ ଫିଟ୍‌ ଅଛନ୍ତି କି ନାହିଁ। ଡାକ୍ତରୀମାଇନା ପାଇବା ପରେ ଏୟାରଲାଇନ୍ସ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବ ବୋଲି ଡିଜିସିଏ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ମେ’୭ରେ ରାଞ୍ଚି ବିମାନବନ୍ଦରରୁ ହାଇଦ୍ରାବାଦ ଯାଉଥିବା ଇଣ୍ଡିଗୋ ବିମାନରେ ଜଣେ ଭିନ୍ନକ୍ଷମ ଯାତ୍ରୀଙ୍କୁ ଯାତ୍ରା କରିବାକୁ ଏୟାରଲାଇନ୍ସ ପକ୍ଷରୁ ମନାକରାଯାଇଥିଲା। ଏହାକୁ ନେଇ ଦେଖାଯାଇଥିବା ବିବାଦ ପରେ ଉକ୍ତ ବିମାନ କମ୍ପାନୀ ଉପରେ ବିଭାଗୀୟ କର୍ତ୍ତୃପକ୍ଷ ୫ଲକ୍ଷ ଟଙ୍କା ଜରିମାନା ଲଗାଇଥିଲେ। ଏପରିକି ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଘଟଣାକୁ ନିନ୍ଦା କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଖୁବ୍‌ଶୀଘ୍ର ନିୟମରେ ପରିବର୍ତ୍ତନ କରାଯିବ ବୋଲି ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଥିଲେ। ଏହିପରିପ୍ରେକ୍ଷୀରେ ଶୁକ୍ରବାର ଡିଜିସିଏ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

Share