Categories: ଜାତୀୟ

ବିମାନବନ୍ଦର ଛାତ ଭୁଶୁଡ଼ିବା ଘଟଣା: ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା, ବିମାନ ବାତିଲ

ନୂଆଦିଲ୍ଲୀ,୨୮ା୬: ଦିଲ୍ଲୀରେ ପ୍ରବଳ ବର୍ଷା ମଧ୍ୟରେ ଶୁକ୍ରବାର ସକାଳେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ଅଘଟଣ ଘଟିଛି। ବିମାନବନ୍ଦରର ଟର୍ମିନାଲ-୧ର ଛାତର ଏକ ଅଂଶ ଭୁଶୁଡ଼ି ସେଠାରେ ଥିବା ଗାଡ଼ି ଉପରେ ପଡ଼ିଯାଇଥିଲା। ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ୪ ଜଣ ଆହତ ହୋଇଛନ୍ତି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କିଞ୍ଜାରାପୁ ମୃତ ଓ ଆହତଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି। ଟର୍ମିନାଲ ଛାତ ତଳେ ଫସି ରହିଥିବା ଲୋକଙ୍କୁ କ୍ଷତିପୂରଣ ବାବଦରେ ୨୦ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୩ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ରାମମୋହନ କହିଛନ୍ତି, ପ୍ରବଳ ବର୍ଷା ଯୋଗୁ ବିମାନବନ୍ଦର ବାହାରେ ଥିବା ଛାତର ଏକ ଅଂଶ ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ମୁଁ ସମବେଦନା ଜଣାଉଛି। ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଛି। ଦୁର୍ଘଟଣା ବିଷୟରେ ସୂଚନା ପାଇବା ମାତ୍ରେ ତୁରନ୍ତ ଜରୁରିକାଳୀନ ଦଳ, ଅଗ୍ନି ନିରାପତ୍ତା ଦଳ, ସିଆଇଏସ୍‌ଏଫ୍‌ ଏବଂ ଏନ୍‌ଡିଆର୍‌ଏଫ୍‌ ଦଳ ପଠାଯାଇଥିଲା।

ସମସ୍ତେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ଏବଂ ଆଉ ଯେମିତି କେହି ଆହତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ରଖାଯାଇଛି। ବାକି ଟର୍ମିନାଲ ବିଲଡିଂ ବନ୍ଦ ହୋଇଯାଇଛି ଏବଂ ସବୁକିଛି ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଉଛି।

ଭାରତ ସରକାରୀ ସୂତ୍ରରୁ ପ୍ରକାଶ ଯେ, ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ-୧ଉପରେ ଛାତ ଭୁଶୁଡି ପଡ଼ିଛି। ଏହା ୨୦୦୮-୦୯ ସମୟରେ ନିର୍ମିତ ହୋଇଥିଲା। ଜିଏମ୍‌ଆର ଏହି କାମ ପାଇଁ ଘରୋଇ କଣ୍ଟ୍ରାକ୍ଟରମାନଙ୍କୁ ଚୁକ୍ତି ଦେଇଥିଲା। ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡର ମୁଖପାତ୍ର କହିଛନ୍ତି, ଆଜି ସକାଳୁ ପ୍ରବଳ ବର୍ଷା ହେତୁ ବିମାନ ବନ୍ଦରର ଟର୍ମିନାଲ-୧ର ପୁରୁଣା ଛାତର ଏକ ଅଂଶ ଭୁଶୁଡି ପଡ଼ିଥିଲା। ଜରୁରିକାଳୀନ ଦଳ ଲୋକଙ୍କୁ ଚିକିତ୍ସା ସହାୟତା ପ୍ରଦାନ କରିଛନ୍ତି। ଏହି ଦୁର୍ଘଟଣା ଯୋଗୁ ଟର୍ମିନାଲରୁ ସମସ୍ତ ବିମାନ ଉଡ଼ାଣ ବାତିଲ କରାଯାଇଛି।

Share