Categories: ଜାତୀୟ

ବିମାନବନ୍ଦରରେ ଖୋଲିବ ଓ୍ବାର୍‌ ରୁମ୍‌

ନୂଆଦିଲ୍ଲୀ,୧୮।୧(ପି.ଟି.) : ଘନ କୁହୁଡ଼ି ଯୋଗୁ ବିମାନ ଚଳାଚଳରେ ବାଧା ସୃଷ୍ଟି ହେଉଥିବାରୁ ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କେତେକ ପଦକ୍ଷେପ ନିଆଯାଇଛି। କୁହୁଡ଼ି ସମସ୍ୟା ସମ୍ପର୍କରେ ଦିଲ୍ଲୀ, ମୁମ୍ବାଇ ସମେତ ଦେଶର ୬ଟି ମେଟ୍ରୋ ଏୟାରପୋର୍ଟରେ ଦିନକୁ ୩ ଥର ରିପୋର୍ଟ କରାଯିବ। ଯାତ୍ରୀଙ୍କ ସମସ୍ୟା ସମାଧାନ ଲାଗି ଉକ୍ତ ବିମାନବନ୍ଦର ଏବଂ ଏୟାରଲାଇନ୍ସଗୁଡ଼ିକ ‘ଓ୍ବାର୍‌ ରୁମ୍‌’ ସ୍ଥାପନ କରିବେ। ଏୟାରପୋର୍ଟଗୁଡ଼ିକରେ ପର୍ଯ୍ୟାପ୍ତ ସିଆଇଏସ୍‌ଏଫ୍‌ ଯବାନ ୨୪ ଘଣ୍ଟା ମୁତୟନ ରହିବେ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର କହିଛନ୍ତି। ଗତ କିଛିଦିନ ହେଲା ଘନ କୁହୁଡ଼ି ପାଇଁ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ବିମାନ ବିଳମ୍ବକୁ ନେଇ ଦିଲ୍ଲୀ ଏୟାରପୋର୍ଟରେ ଇଣ୍ଡିଗୋ ଏୟାରଲାଇନ୍ସର ଜଣେ ପାଇଲଟଙ୍କୁ ଯାତ୍ରୀ ଆକ୍ରମଣ କରିଥିଲେ। ସେହିପରି ମୁମ୍ବାଇ ଏୟାରପୋର୍ଟରେ ଘନ କୁହୁଡ଼ି ଯୋଗୁ ଇଣ୍ଡିଆ ଯାତ୍ରୀମାନେ ଦୀର୍ଘ ସମୟ ଟର୍ମାକ୍‌ରେ ବସି ରହିବାରୁ ଉତ୍ତେଜନା ଦେଖାଦେଇଥିଲା। ଫଳରେ ସୋମବାର ଡିଜିସିଏ ଏୟାରଲାଇନ୍ସଗୁଡ଼ିକ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଜାରି କରିଥିଲେ। କୁହୁଡ଼ି ଯୋଗୁ ଉଡ଼ାଣରେ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ବିଳମ୍ବ ହେଲେ ଏୟାରଲାଇନ୍ସ କର୍ତ୍ତୃପକ୍ଷ ସମ୍ପୃକ୍ତ ବିମାନକୁ ବାତିଲ କରିପାରିବେ ବୋଲି ଏଥିରେ କୁହାଯାଇଥିଲା। ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ, ଚେନ୍ନାଇ ଏବଂ କୋଲକାତା ମେଟ୍ରୋ ଏୟାରପୋର୍ଟରେ ଓ୍ବାର୍‌ ରୁମ୍‌ ପ୍ରତିଷ୍ଠା କରାଯାଇ ଯାତ୍ରୀମାନଙ୍କ ଅସୁବିଧାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ସିନ୍ଧିଆ କହିଛନ୍ତି।

Share