ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୋଟିଏ ପରାମର୍ଶ ଯୋଗୁ ବଦଳିଯାଇଛି ଏୟାରଟେଲର ଭାଗ୍ୟ, ମାଲିକ କହିଲେ କିଭଳି…

ନୂଆଦିଲ୍ଲୀ,୩୦।୫: ଏସିଆର ପ୍ରମୁଖ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଜିଓ ଲଞ୍ଚ ହେବା ପରେ ଟେଲିକମ୍‌ ଦୁନିଆରେ ଝଡ଼ ସୃଷ୍ଟି ହୋଇଥିଲା। ଏହାଦ୍ୱାରା ଅନେକ ଟେଲିକମ୍‌ କମ୍ପାନୀ ମାର୍କେଟରୁ ବାଦ୍‌ ପଡ଼ିଥିଲେ। ଭାରତୀ ମିତ୍ତଲଙ୍କ ‘ଏୟାରଟେଲ୍‌’ ମଧ୍ୟ ବିପଦରେ ପଡ଼ିଥିଲା। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସୁନୀଲ ଭାରତୀ ମିତ୍ତଲଙ୍କ ଏକ ବୈଠକ ଗେମ୍‌ଚେଞ୍ଜର ସାବ୍ୟସ୍ତ ହୋଇଥିଲା। ଏହା କହିଛନ୍ତି ନିଜେ ସୁନୀଲ। ଯେତେବେଳେ ଜିଓ ଯୋଗୁ ତାଙ୍କ କମ୍ପାନୀ ଅଡ଼ୁଆରେ ଫସିଥିଲା ସେତେବେଳେ ମୋଦିଙ୍କ ଗୋଟିଏ ପରାମର୍ଶ ଅନେକ କିଛି ବଦଳାଇଦେଇଥିଲା।

ଇକୋନୋମିକ୍‌ ଟାଇମ୍ସକୁ ଦେଖିଥିବା ସାକ୍ଷାତକାରରେ ସୁନୀଲ କହିଛନ୍ତି, ରିଲାଏନ୍ସ ଜିଓ ମାଗଣା କଲ୍‌ ଏବଂ ଡାଟା ସୁବିଧା ଦେଉଥିଲା। ଏଥିସହ ଟେଲିକମ୍‌ ରେଗୁଲେଟରଙ୍କ ଅନେକ ନିଷ୍ପତ୍ତି ଦ୍ୱାରା ଏୟାରଟେଲ୍‌ ଭଳି ପୁରୁଣା ଟେଲିକମ୍‌ କମ୍ପାନୀ ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଥିଲା। ୨୦୧୮ ସେପ୍ଟେମ୍ବରରେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିଥିଲି। ସେତେବେଳେ ମୁଁ ଜିଏସ୍‌ଏମ୍‌ଏର ଅଧ୍ୟକ୍ଷ ଥିଲି। କିଛିଦିନ ପୂର୍ବେ ଅନ୍ତଃରାଷ୍ଟ୍ରୀୟ ଚାମ୍ବର ଅଫ୍‌ କମର୍ସର ଅଧ୍ୟକ୍ଷ ପଦ ଛାଡ଼ିଥିଲି, ଯେତେବେଳେ ମୁଁ ପ୍ରଧାନମନ୍ତ୍ରୀଙ୍କୁ କେବେ କେବେ ଡବ୍ଲ୍ୟୁଟିଓ, ଜି୨୦ ଏବଂ ଅନ୍ୟ ପ୍ରସଙ୍ଗ ଉପରେ ସୂଚନା ଦେଇଆସୁଥିଲି।

ମୋଦିଙ୍କ ସହ ବୈଠକକୁ ମନେ ପକାଇ ସୁନୀଲ କହିଛନ୍ତି, ମୁଁ ବଜାର ସହ ଲଢ଼ିପାରିବି, ହେଲେ ସରକାରଙ୍କ ସହ ଲଢ଼ିପାରିବି ନାହିଁ ବୋଲି କହିଥିଲି। ଜବାବରେ ମୋଦି କହିଥିଲେ ଯେ ଏହି ସରକାର କୌଣସି ଗୋଟିଏ ପକ୍ଷରେ କେବେହେଲେ ନଇଁବେ ନାହିଁ। ଦେଶ ପାଇଁ ଯାହା ଠିକ୍‌ ହେବ, ତାହା କରାଯିବ। ଆପଣ ବଜାରରେ ଲଢ଼େଇ କରୁଛନ୍ତି। ଏହା ଉପରେ କୌଣସି ପରାମର୍ଶ ଦେଇପାରିବି ନାହିଁ। ହେଲେ ସରକାରଙ୍କ ପକ୍ଷରୁ ନିଶ୍ଚିତ ରୁହନ୍ତୁ ଯେ ସରକାର କାହାର ପକ୍ଷ ନେବେ ନାହିଁ। ମୋ ପାଇଁ ଏତିକି ଯଥେଷ୍ଟ ଥିଲା। ମୁଁ ତାଙ୍କୁ ଉଠିପଡ଼ି ଧନ୍ୟବାଦ ଜଣାଇଥିଲି। ଏହା କମ୍ପାନୀ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହାଫଳରେ କମ୍ପାନୀ ମେ ୨୭ରେ ୧୦୦ ଆରବ ଡଲାରର ମାର୍କେଟ କ୍ୟାପିଟାଲ ହାସଲ କରିଥିବା ସୁନୀଲ କହିଛନ୍ତି।

Share