ଇଡିରେ ହାଜର ହେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ,୨୦ା୧୨: ବହୁ ଚର୍ଚ୍ଚିତ ପାନାମା ପେପର୍ସ ମାମଲାରେ ବଚ୍ଚନ ପରିବାର ପାଇଁ ଅଡୁଆ ବଢ଼ିଛି। ବଲିଉଡ୍‌ ଅଭିନେତ୍ରୀ ତଥା ବଚ୍ଚନ ପରିବାରର ବୋହୂ ଐଶ୍ୱର୍ଯ୍ୟା ରାୟ ଇଡିରେ ହାଜର ହୋଇଛନ୍ତି। ଦିଲ୍ଲୀର ଲୋକନାୟକ ଭବନରେ ସେ ସୋମବାର ପୂର୍ବାହ୍ନରେ ପହଞ୍ଚିଛନ୍ତି।

ସୂଚନାନୁସାରେ, ଐଶ୍ୱର୍ଯ୍ୟାଙ୍କ ପାଇଁ ଇଡି ଅଧିକାରୀମାନେ ପ୍ରଶ୍ନର ଏକ ତାଲିକା ପ୍ରସ୍ତୁତ କରିଛନ୍ତି।  ପାନାମା ପେପର ମାମଲାରେ ଭାରତର ପ୍ରାୟ ୫୦୦ ଲୋକ ଜଡ଼ିତ ଥିଲେ। ଏହି ମାମଲାରେ ବହୁ ନେତା,ଅଭିନେତା, କ୍ରୀଡ଼ାବିତ୍‌, ବ୍ୟବସାୟୀଙ୍କ ନାମ ରହିଛି। ଏମାନଙ୍କ ନାମରେ ଟିକସ ଫାଙ୍କିବା ଅଭିଯୋଗ ହୋଇଛି।

ଏହି ମାମଲାରେ ଅଭିଷେକ ବଚ୍ଚନଙ୍କୁ  ପ୍ରଶ୍ନ କରାଯାଇଛି, ଅମିତାଭଙ୍କୁ ମଧ୍ୟ ନୋଟିସ୍‌ ପଠାଯିବ। ଦୀର୍ଘଦିନ ଧରି ପାନାମା ପେପର୍ସ ମାମଲାର ତଦନ୍ତ ଚାଲିଛି। ଏକ ମାସ ପୂର୍ବରୁ ଅଭିଷେକ ମଧ୍ୟ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେ ଇଡି ଅଧିକାରୀଙ୍କୁ କିଛି ଦଲିଲ ମଧ୍ୟ ଦେଇଛନ୍ତି। ଯଦି ଇଡି ଉତ୍ସକୁ ବିଶ୍ୱାସ କରାଯାଏ, ତେବେ ଶୀଘ୍ର ବିଗ୍‌ ବିଙ୍କୁ ମଧ୍ୟ ଏହି ମାମଲାରେ ଇଡି ନୋଟିସ ଦେଇ ଡାକିବ।

୨୦୧୬ରେ ପାନାମା ଲ’ ଫାର୍ମର ୧.୧୫ କୋଟି ଟ୍ୟାକ୍ସ ଡକ୍ୟୁମେଣ୍ଟ ବ୍ରିଟେନରେ ଲିକ୍‌ ହୋଇଥିଲା। ଏଥିରେ ବିଶ୍ୱର ବିଭିନ୍ନ ସ୍ଥାନର ବଡ଼ବଡ଼ ନେତା, ବ୍ୟବସାୟୀ ଏବଂ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାମ ରହିଥିଲା। ଭାରତର ପ୍ରାୟ ୫୦୦ ଲୋକଙ୍କ ନାଁ ରହିଥିଲା। ଏଥିରେ ବଚ୍ଚନ ପରିବାରର ନାମ ମଧ୍ୟ ରହିଥିଲା।

ଏକ ରିପୋର୍ଟ ଅନୁଯାୟୀ, ଅମିତାଭଙ୍କୁ ୪ଟି କମ୍ପାନୀର ନିର୍ଦ୍ଦେଶକ କରାଯାଇଥିଲା। ସେଥିମଧ୍ୟରୁ ତିନିଜଣ ବାହାମାସରେ ଥିବାବେଳେ ଜଣେ ଭର୍ଜିନ ଦ୍ୱୀପପୁଞ୍ଜରେ ଥିଲେ। ଏଗୁଡ଼ିକ ୧୯୯୩ରେ ଆରମ୍ଭ ହୋଇଥିଲା। ଏହି କମ୍ପାନୀଗୁଡିକର ପୁଞ୍ଜି ୫ ହଜାରରୁ ୫୦ ହଜାର ଡଲାର ମଧ୍ୟରେ ଥିଲା, କିନ୍ତୁ ଏହି କମ୍ପାନୀଗୁଡିକ ସେହି ଜାହାଜଗୁଡ଼ିକର ବ୍ୟବସାୟ କରୁଥିଲେ, ଯାହାର ମୂଲ୍ୟ କୋଟି କୋଟି ଥିଲା।

ଐଶ୍ୱର୍ଯ୍ୟା ପୂର୍ବରୁ ଏକ କମ୍ପାନୀର ନିର୍ଦ୍ଦେଶକ ଥିଲେ। ପରେ ତାଙ୍କୁ କମ୍ପାନୀର ଅଂଶୀଦାର ଘୋଷଣା କରାଯାଇଥିଲା। କମ୍ପାନୀର ନାମ ଥିଲା ଆମିକ ପାର୍ଟନର୍ସ ପ୍ରାଇଭେଟ ଲିମିଟେଡ। ଏହାର ମୁଖ୍ୟାଳୟ ଭର୍ଜିନ ଦ୍ୱୀପପୁଞ୍ଜରେ ଥିଲା। ଐଶ୍ୱର୍ଯ୍ୟାଙ୍କ ବ୍ୟତୀତ ପିତା କେ. ରାୟ, ମାତା ବୃନ୍ଦା ରାୟ ଏବଂ ଭାଇ ଆଦିତ୍ୟ ରାୟ ମଧ୍ୟ ଏହି କମ୍ପାନୀରେ ଅଂଶୀଦାର ଥିଲେ। ୨୦୦୫ରେ ଏହି କମ୍ପାନୀ ଗଠନ କରାଯାଇଥିଲା। ତିନି ବର୍ଷ ପରେ ଅର୍ଥାତ୍‌ ୨୦୦୮ରେ କମ୍ପାନୀ ବନ୍ଦ ହୋଇଗଲା।

Share