Advertisement

ଐଶ୍ୱର୍ଯ୍ୟାଠାରୁ ‘ଗ୍ରେ ଡିଭୋର୍ସ’ ନେବେ ଅଭିଷେକ ! ଜାଣନ୍ତୁ ଏହା କ’ଣ, ଏସବୁ ସେଲିବ୍ରିଟି ବି…

ବମ୍ବେ: ଅଭିନେତ୍ରୀ ତଥା ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କଠାରୁ ଅଲଗା ହେବେ ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ। କିଛି ଦିନ ପୂର୍ବେ ବିଜିନେସ୍‌ ଟାଇକୁନ୍‌ ମୁକେଶ ଅମ୍ବାନୀଙ୍କ ପୁଅ ବିବାହ ଉତ୍ସବରେ ଦୁହିଁଙ୍କୁ ଅଲଗା ଦେଖିବାକୁ ମିଳିଥିଲା। ସେବେଠାରୁ ଐଶ୍ୱର୍ଯ୍ୟା ବଚ୍ଚନ ପରିବାର ଉପରେ ଖପ୍ପା ଥିବା ଚର୍ଚ୍ଚା ଜୋର ଧରିଛି। ଏବେ ଅଭିଷେକ ଏକ ପୋଷ୍ଟ ଲାଇକ୍‌ କରି ସେ ଐଶ୍‌ଙ୍କଠାରୁ ଅଲଗା ହେବା ଉପରେ ମୋହର ମାରିଛନ୍ତି।
ଅମ୍ବାନୀଙ୍କ ବିବାହ ଫଟୋରେ ଐଶ୍‌ଙ୍କୁ ଅଲଗା ଦେଖି ପ୍ରଶଂସକ ଚକିତ ହୋଇଥିବା ବେଳେ ଅଭିଷେକ ସୋସିଆଲ ମିଡିଆରେ ଏକ ଛାଡ଼ପତ୍ର ପୋଷ୍ଟକୁ ପସନ୍ଦ କରିଛନ୍ତି। ଇନଷ୍ଟାଗ୍ରାମରେ ‘ଗ୍ରେ ଡିଭୋର୍ସ’ ନାମକ ଏକ ପୋଷ୍ଟକୁ ସେ ଲାଇକ୍‌ କରିଛନ୍ତି।
ପୋଷ୍ଟରେ ଲେଖାଯାଇଥିଲା ଯେ- ଯେତେବେଳେ ଭଲପାଇବା ସହଜ ହୋଇ ରୁହେ ନାହିଁ। ଛାଡ଼ପତ୍ର କାହାପାଇଁ ସହଜ ହୋଇ ନ ଥାଏ। କିଏ ସବୁବେଳେ ଖୁସିରେ ରହିବାକୁ ସ୍ବପ୍ନ ଦେଖି ନ ଥାଏ। ହେଲେ କେବେ କେବେ ଜୀବନରେ ସେଭଳି କିଛି ହୁଏ ନାହିଁ ଯେଉଁଭଳି ଆମେ ଆଶା କରିଥାଉ। ହେଲେ ଯେବେ ଲୋକ ଦଶନ୍ଧି ଧରି ଏକାଠି ରହିବା ପରେ ଅଲଗା ହୁଅନ୍ତି, ଯେବେ ସେମାନେ ନିଜର ଜୀବନରେ ଘଟୁଥିବା ଛୋଟବଡ଼ ଘଟଣାକୁ ନେଇ ପରସ୍ପର ଉପରେ ନିର୍ଭର ରହିଥାନ୍ତି ସେତେବେଳେ କିଭଳି ଏହାର ସେମାନେ ସାମ୍ନା କରିଥାନ୍ତି।
ଗ୍ରେ ଡିଭୋର୍ସ କ’ଣ?
ପାଶ୍ଚାତ୍ୟ ଦେଶରେ ‘ଗ୍ରେ ଡିଭୋର୍ସ’ ସାଧାରଣ କଥା। ଏମିତିରେ ଆପଣଙ୍କ ମନରେ ଏହା କ’ଣ ବୋଲି ପ୍ରଶ୍ନ ଉଠୁଥାଇ ପାରେ। ତେବେ ଜୀବନର ଅନ୍ତିମ ଚରଣରେ ଯଦି ଏକ ଯୋଡ଼ିକୁ ପରସ୍ପରଠାରୁ ଅଲଗା ରହିବାକୁ ପଡେ ତେବେ ତାହାକୁ ଗ୍ରେ ଡିଭୋର୍ସ କୁହାଯାଇଥାଏ। ସହଜ ଭାଷାରେ କହିଲେ ୫୦ ବର୍ଷ ପରେ ଯଦି ବିବାହିତ ଯୋଡ଼ି ଛାଡ଼ପତ୍ର ନେଇ ପରସ୍ପରଠାରୁ ଅଲଗା ରୁହନ୍ତି ତେବେ ତାକୁ ‘ଗ୍ରେ ଡିଭୋର୍ସ’ କୁହାଯାଏ।
୧୯୯୦ରୁ ଏଯାବତ୍‌ ‘ଗ୍ରେ ଡିଭୋର୍ସ’ ମାମଲା ଦୁଇଗୁଣା ଭାବେ ବଢ଼ିଚାଲିଛି। ୨୦୩୦ ଯାଏ ଏହି ସଂଖ୍ୟା ୩ ଗୁଣା ବଢ଼ିପାରେ। ଏହା ପଛରେ ଅନେକ କାରଣ ରହିଛି। ଯେମିତିକି ଅବସରପରର ସାଇଡ୍‌ ଇଫେକ୍ଟ, ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଇତ୍ୟାଦି।
ଏଲିଜାବେଥ୍‌ ଟେଲର୍‌, ଜେଫ୍‌ ବେଜୋସ୍‌, ମୋର୍ଗାନ୍‌ ଫ୍ରିମ୍ୟାନ୍‌ ଏବଂ ରବିନ ଓ୍ବିଲିୟମ୍ସଙ୍କ ପରି ବହୁ ପ୍ରସିଦ୍ଧ ବିଦେଶୀ ସେଲିବ୍ରିଟି ‘ଗ୍ରେ ଡିଭୋର୍ସ’ ନେଇଛନ୍ତି। ଭାରତ ବିଷୟରେ କହିଲେ ଆମିର ଖାନ୍‌, ଅରବାଜ ଖାନ୍‌, ଆଶିଷ ବିଦ୍ୟାର୍ଥୀ ଏବଂ କବିର ବେଦୀ ଭଳି ଅନେକ କଳାକାର ଏହି ତାଲିକାରେ ଅଛନ୍ତି।
ଯଦିଓ ଛାଡ଼ପତ୍ର ନେବା ସହଜ ନୁହେଁ, ହେଲେ ଗ୍ରେ ଡିଭୋର୍ସ ଅଧିକ କଷ୍ଟକର। କାରଣ ଏହା ବେଶ ଯନ୍ତ୍ରଣାଦାୟକ। ଏହି ଡିଭୋର୍ସରେ ସେହି ବ୍ୟକ୍ତିଙ୍କଠାରୁ ଅଲଗା ହେବାକୁ ପଡେ ଯାହା ସହ ଜଣେ ଜୀବନର ଅଧିକାଂଶ ବର୍ଷ ବିତାଇଥାନ୍ତି, ଏକାଠି ସୁଖଦୁଃଖ ବାଣ୍ଟିଥାନ୍ତି। ଅନେକ ଏଥିରୁ ବାହାରି ପାରୁଥିବା ବେଳେ ଅନେକେ ଏଥିରେ ନିଜକୁ ହରାଇଥାନ୍ତି।
Share