ବୋହୂ ଐଶ୍ୱର୍ଯ୍ୟାଙ୍କ ଫିଲ୍ମରେ କମ୍‌ବ୍ୟାକ୍‌ କରି ବଦଳିଥିଲା ଅମିତାଭଙ୍କ ଭାଗ୍ୟ

ବଲିଉଡ୍‌ ଫିଲ୍ମ ‘ମହବତେ’ ରିଲିଜ୍‌ ହେବା ଇତିମଧ୍ୟରେ ୨୦ ବର୍ଷ ହୋଇଯାଇଛି। ୨୭ ଅକ୍ଟୋବର ୨୦୦୦ରେ ଏହା ରିଲିଜ୍‌ ହୋଇଥିଲା। ଫିଲ୍ମଟି ବକ୍ସଅଫିସରେ ସୁପରହିଟ୍‌ ମଧ୍ୟ ହୋଇଥିଲା। ଅମିତାଭ ବଚ୍ଚନ, ଶାହାରୁଖ୍‌ ଖାନ୍‌, ଐଶ୍ୱର଼୍ୟା ରାୟ ପ୍ରମୁଖ ଚରିତ୍ର ବିଶିଷ୍ଟ ଏହି ଫିଲ୍ମରେ ବହୁ ନବାଗତ କଳାକାର ଏଥିରେ କାମ କରିବାର ସୁଯୋଗ ପାଇଥିଲେ। ତେବେ ନବାଗତ କଳାକାରଙ୍କ ପାଇଁ ଏହି ଫିଲ୍ମ ବରଦାର ସଦୃଶ ହୋଇଥିଲା। ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ, ଏହି ଫିଲ୍ମ ମାଧ୍ୟମରେ ଅମିତାଭ ସଫଳତାର ସହ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲେ। ଏଥିରେ ସେ ଜଣେ କଠୋର ପ୍ରିନ୍ସପାଲ ଭୂମିକାରେ ଅଭିନୟ କରିଥିଲେ। ତାଙ୍କର ଲୁକ୍‌ ଇଣ୍ଡୋ-ଓ୍ବେଷ୍ଟର୍ନ ରଖାଯାଇଥିଲା। ଏହାକୁ କରଣ ଜୋହର ଡିଜାଇନ୍‌ କରିଥିଲେ।

୨୦୦୦ ମସିହାରେ ଅମିତାଭ କରଜରେ ବୁଡି ରହିଥିଲେ। ତାଙ୍କ ଉପରେ ୯୦ କୋଟି ଟଙ୍କାର କରଜ ଥିଲା। ଏହି ସମୟରେ ତାଙ୍କର ଏକ କମ୍ପାନୀ ଏବିସିଏଲ୍‌ ବନ୍ଦ ହେବାକୁ ବସିଥିଲା। ତାଙ୍କ ପାଖରେ କୌଣସି ଫିଲ୍ମ ମଧ୍ୟ ନ ଥିଲା। ଟଙ୍କା ଫେରସ୍ତ ନେବା ପାଇଁ ପ୍ରତିଦିନ ସକାଳୁ ତାଙ୍କ ଘର ସମ୍ମୁଖରେ ଲମ୍ବା ଲାଇନ ଲାଗୁଥିଲା। ଟଙ୍କା ପାଇଁ ଲୋକମାନେ ତାଙ୍କୁ ଗାଳି କରିବା ସହ ଧମକ ମଧ୍ୟ ଦେଉଥିଲେ। ଏହା କେବଳ ଅମିତାଭଙ୍କ ପାଇଁ ନୁହେଁ ପୁରା ବଚ୍ଚନ ପରିବାର ପାଇଁ ଖରାପ ସମୟ ଥିଲା। ନିଜେ ଅମିତାଭ ଏକ ସାକ୍ଷାତକାରରେ ଏହିକଥା କହିଥିଲେ। ଉକ୍ତ ସମୟରେ ବିଗ୍‌ ବି ୟଶ୍‌ ଚୋପ୍ରାଙ୍କ ନିକଟକୁ ଯାଇ କାମ ମାଗିଥିଲେ। ୟଶ୍‌ ତାଙ୍କୁ ‘ମହବତେ’ ରେ ପ୍ରମୁଖ ଚରିତ୍ର ଅଫର କରିଥିଲେ। ଏହି ସମୟରେ ସେ ଟିଭି ରିଆଲିଟି ଶୋ’ ‘କୌନ୍‌ ବନେଗା କରୋଡପତି’ରେ ମଧ୍ୟ କାମ କରିବାର ସୁଯୋଗ ପାଇଥିବା ସେ କହିଥିଲେ। ଏହିପରି ଭାବେ ବୋହୂ ତଥା ଐଶ୍ୱର୍ଯ୍ୟାଙ୍କ ଫିଲ୍ମରେ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲେ ବିଗ୍‌ ବି।

Share