ନୂଆଦିଲ୍ଲୀ, ୨୦ା୧୨: ବଚ୍ଚନ ପରିବାରକୁ ଅଡ଼ୁଆରେ ପକାଇ ଦେଇଛି ବହୁ ଚର୍ଚ୍ଚିତ ପାନାମା ପେପର୍ସ ଲିକ୍ ମାମଲା। ପୂର୍ବତନ ବିଶ୍ୱ ସୁନ୍ଦରୀ ତଥା ବଚ୍ଚନ ପରିବାରର ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ୫ ଘଣ୍ଟା ଧରି ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଦିଲ୍ଲୀସ୍ଥିତ ଅଫିସ୍ରେ ସୋମବାର ତାଙ୍କୁ ପଚରାଉଚରା କରାଯିବା ସହ ତାଙ୍କ ବୟାନ ରେକର୍ଡ କରାଯାଇଛି।
ଇଡି ଅଧିକାରୀମାନେ ବଲିଉଡ୍ ଅଭିନେତ୍ରୀଙ୍କୁ ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ (ଏଫ୍ଇଏମ୍ଏ)ଅଧୀନରେ ପଚରାଉଚରା କରିଥିଲେ। ଏହା ପୂର୍ବରୁ ୪୮ ବର୍ଷୀୟା ଐଶ୍ୱର୍ଯ୍ୟାଙ୍କୁ ଜେରା ପାଇଁ ଦୁଇ ଥର ଇଡି ପକ୍ଷରୁ ସମନ ଜାରି କରାଯାଇଥିଲା। ହେଲେ ଉଭୟ ଥର ହାଜର ନିମନ୍ତେ ଅଧିକ ସମୟ ମାଗିଥିଲେ। ବ୍ରିଟିଶ ଭର୍ଜିନ ଆଇଲାଣ୍ଡସ୍ ସ୍ଥିତ କମ୍ପାନୀରେ ସେ ତାଙ୍କ ଟଙ୍କା ରଖିଥିଲେ ବୋଲି ଅଭିଯୋଗ ରହିଛି। ପାନାମା ପେପର୍ସ ଲିକ୍ ମାମଲାରେ ୩ ଶହରୁ ଊର୍ଦ୍ଧ୍ୱ ଭାରତୀୟଙ୍କ ନାମ ରହିଥିଲା। ସେମାନଙ୍କ ମଧ୍ୟରେ ଅଧିକାଂଶ ନେତା, ମନ୍ତ୍ରୀ, ଅଭିନେତା, କ୍ରୀଡ଼ାବିତ୍, ବଡ଼ ବ୍ୟବସାୟୀ ଆଦି ଶ୍ରେଣୀର ଲୋକଙ୍କ ନାଁ ସାମ୍ନାକୁ ଆସିଥିଲା।