ମୁମ୍ବାଇ: ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନଙ୍କ ଫିଲ୍ମ ‘ଦ ବିଗ୍ ବୁଲ’ ଦର୍ଶକଙ୍କୁ ଫିକା କରିଦେଇଛି ସତ ମାତ୍ର ବଚ୍ଚନ ପରିବାର ଏହି ଫିଲ୍ମକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି। ଏହି ଉତ୍ସାହକୁ ଅମିତାଭ ବଚ୍ଚନ ଟୁଇଟର ପେଜ୍ରୁ ଆରମ୍ଭ କରି ପର୍ସନାଲ ବ୍ଲଗରେ ଶେୟାର କରି ପୁଅ ଅଭିଷେକଙ୍କୁ ବହୁତ ପ୍ରଶଂସା କରିଛନ୍ତି। ଅଭିଷେକ କହିଛନ୍ତି, ତାଙ୍କ ମା’ ଏବଂ ସ୍ତ୍ରୀ ଐଶ୍ୱର୍ଯ୍ୟା ରାୟବଚ୍ଚନ ମଧ୍ୟ ତାଙ୍କ ଫିଲ୍ମ ଦେଖି ଖୁସି ହୋଇଛନ୍ତି।
ଏକ ସାକ୍ଷାତକାରରେ ଅଭିଷେକ କହିଛନ୍ତି, ମା ଜୟା ବଚ୍ଚନ ଫିଲ୍ମ ଏପ୍ରିଲ ୯ରେ ଦେଖିଥିଲେ। ଯେଉଁଦିନ କି ମା’ଙ୍କ ଜନ୍ମଦିନ ଥିଲା। ଏହି କାରଣରୁ ଉକ୍ତ ଦିନଟି ତାଙ୍କ ପାଇଁ ଆହୁରି ସ୍ବତନ୍ତ୍ର ପାଲଟିଥିଲା। ଅଭିଷେକ କହିଛନ୍ତି, ପୂରା ପରିବାର ମୋ ଫିଲ୍ମକୁ ପସନ୍ଦ କରିଛନ୍ତି। ମୋ ପିତା, ମାତା, ସ୍ତ୍ରୀଙ୍କୁ ବହୁ ପସନ୍ଦ ଆସିଛି। ମା’ ଏତେ ଖୁସିଥିଲେ କି କହିଲେ, ନିଜ ଜନ୍ମଦିନରେ ପୁଅର ‘ଦ ବିଗ୍ ବୁଲ୍’ ଦେଖିଲେ। ଅମିତାଭ କହିଛନ୍ତି, ପୁଅର ଏହି ଫିଲ୍ମ ଦେଖି ସେ ନିଜକୁ ଗର୍ବିତ ମନେ କରୁଛନ୍ତି। ପୁଅର ଫିଲ୍ମ ମୋତେ ଭାବୁକ କରିଦେଲା ବୋଲି ବିଗ୍ -ବି କହିଛନ୍ତି।