ଓ୍ବାଶିଂଟନ୍,୪ା୫: ଭାରତୀୟ-ଆମେରିକୀୟ ବିଜ୍ନେସ୍ ଲିଡର ଅଜୟ ବଙ୍ଗାଙ୍କୁ ବୁଧବାର ବିଶ୍ୱବ୍ୟାଙ୍କର ନୂଆ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ସେ ଏହି ପଦରେ ୫ ବର୍ଷ କାର୍ଯ୍ୟ କରିବେ। ଉକ୍ତ ବୈଶ୍ୱିକ ଆର୍ଥିକ ସଂସ୍ଥାର ନେତୃତ୍ୱ ନେବାରେ ବଙ୍ଗା ହେଉଛନ୍ତି ପ୍ରଥମ ଭାରତୀୟ ବଂଶୋଦ୍ଭବ। ବିଶ୍ୱବ୍ୟାଙ୍କ ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର୍ସ ପକ୍ଷରୁ ତାଙ୍କ ନିଯୁକ୍ତିକୁ ଅନୁମୋଦନ କରାଯାଇଥିବା ଏକ ପ୍ରେସ୍ ବିବୃତିରେ କୁହାଯାଇଛି। ପ୍ରକାଶ ଯେ, ଗତ ଫେବୃୟାରୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ପଦ ପାଇଁ ୬୩ ବର୍ଷୀୟ ଅନୁଭବୀ ବିଜ୍ନେସ୍ ଲିଡର ତଥା ଜେନେରାଲ ଆଟ୍ଲାଣ୍ଟିକ୍ ଉପାଧ୍ୟକ୍ଷ ଥିବା ବଙ୍ଗାଙ୍କ ନାମ ଘୋଷଣା କରିଥିଲେ। ବଙ୍ଗା ଏହା ପୂର୍ବରୁ ୨୪,୦୦୦ କର୍ମଚାରୀ ନିୟୋଜିତ ଥିବା ବୈଶ୍ୱିକ ସଙ୍ଗଠନ ମାଷ୍ଟରକାର୍ଡର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ସୁଚାରୁ ରୂପେ ଦାୟିତ୍ୱ ତୁଲାଇଛନ୍ତି। ୨୦୧୬ରେ ବଙ୍ଗାଙ୍କୁ ଭାରତ ସରକାର ପଦ୍ମଶ୍ରୀ ଉପାଧି ପ୍ରଦାନ କରିଥିଲେ।