ଅଭିନେତା ହେବାକୁ ଚାହୁଁ ନ ଥିଲେ ଅଜୟ!

ମୁମ୍ବାଇ: ବଲିଉଡ ସିଂଘମ ଅର୍ଥାତ ଅଭିନେତା ଅଜୟ ଦେବଗନଙ୍କର ରବିବାର ହେଉଛି ଜନ୍ମଦିନ। ଅଜୟ ଦେବଗନ ବଲିଉଡରେ ଆକ୍ସନ, କମେଡି, ସିରିୟସ ପ୍ରାୟ ସବୁ ପ୍ରକାର ଚରିତ୍ରରେ ଅଭିନୟ କରି ସାରିଲେଣି। ସେ ତାଙ୍କର ନିଖୁଣ ଅଭିନୟକୁ ନେଇ ଦର୍ଶକଙ୍କର ଜଣେ ମନ ପସନ୍ଦର ଅଭିନେତା। ଏପ୍ରିଲ ୨ , ୧୯୬୯ରେ ସେ ଜନ୍ମ ନେଇଥିବା ବେଳେ ଏବେ ସେ ୫୪ ବର୍ଷରେ ପଦାର୍ପଣ କରିଛନ୍ତି।
ଫିଲ୍ମ ‘ଫୁଲ ଔର କାଣ୍ଟେ’ ଜରିଆରେ ଅଜୟ ବଲିଉଡରେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ହେଲେ ଅଜୟ ବଲିଉଡରେ ହିରୋ ନୁହେଁ ନିର୍ଦ୍ଦେଶକ ହେବାର ସ୍ବପ୍ନ ନେଇ ଆସିଥିଲେ। ତାଙ୍କ ପିତା ଭିରୁ ଦେବଗନ ବଲିଉଡର ଜଣେ ଜଣାଶୁଣା ଷ୍ଟଣ୍ଟମ୍ୟାନ ଥିଲେ। ମାଆ ସପନା ବି ବଲିଉଡରେ ଗୋଟିଏ ଦୁଇଟି ଫିଲ୍ମ ନିର୍ମାଣ କରିଛନ୍ତି। ଘରେ ଫିଲ୍ମର ମାହୋଲ ଥିବାରୁ ଅଜୟ ଆରମ୍ଭରୁ ବଲିଉଡରେ କାମ କରିବାକୁ ଭାବି ନେଇଥିଲେ। ପାଠପଢା ଶେଷ ହେବା ପରେ ଅଜୟ ଦେବଗନ ନିର୍ଦ୍ଦେଶକ ଶେଖର କପୁରଙ୍କ ସହ ସହନିର୍ଦ୍ଦେଶକ ଭାବେ କାମ ଆରମ୍ଭ କରିଥିଲେ।
ଏହି ସମୟରେ ଅଜୟଙ୍କର ଦେଖା ହେଲା ଫିଲ୍ମ ଫୁଲ ଔର କାଣ୍ଟେ ନିର୍ମାଣ କରୁଥିବା କୁକ୍କୁ କୋହଲିଙ୍କ ସହ। ସେତେବେଳେ ସେ ଏମିତି ଜଣେ ଅଭିନେତାଙ୍କୁ ଖୋଜୁଥିଲେ ଯିଏ ରୋମାନ୍ସ ସହ ଆକ୍ସନ ବି କରିପାରିବେ। ଆଉ ଅଜୟଙ୍କୁ ଏହାର ଅଫର ମିଳିଥିଲା। ଫିଲ୍ମଟି ବକ୍ସ ଅଫିସରେ ହିଟ ବି ହୋଇଥିଲା। ଆଉ ଏହାପରଠାରୁ ଅଜୟ ଗୋଟିଏ ପରେ ଗୋଟିଏ ହିଟ ମୁଭି ଭେଟିଦେଲେ ଦର୍ଶକଙ୍କୁ। ଆଉ ନିର୍ଦ୍ଦେଶକ ବଦଳରେ ସେ ବନିଗଲେ ବଲିଉଡର ଜଣେ ଆଗଧାଡିର ନାୟକ।

Share