ରକୁଲଙ୍କ ସହ ରୋମାନ୍ସ କରିବେ ଅଜୟ ଦେବଗନ

ମୁମ୍ବାଇ:ବଲିଉଡ୍‌ ଅଭିନେତା ଅଜୟ ଦେବ୍‌ଗନ୍‌ ସମ୍ପ୍ରତି ନିଜର ଆଗାମୀ ଚଳଚ୍ଚିତ୍ର ‘ଦେ ଦେ ପ୍ୟାର୍‌ ଦେ ୨’ ଏବଂ ‘ସନ୍‌ ଅଫ୍‌ ସର୍ଦ୍ଦାର ୨’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ବିଭିନ୍ନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପଞ୍ଜାବର ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଗ୍ରାମାଞ୍ଚଳରେ ଉକ୍ତ ଫିଲ୍ମର ଶୁଟିଂ ହେବ। ଏଥିପାଇଁ ଆସନ୍ତା ମାସଠାରୁ ମୋଟ ୪୫ରୁ ୫୦ ଦିନ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି। ଫିଲ୍ମରେ ଅଜୟଙ୍କ ସହ ଅଭିନେତା ଆର୍‌ ମାଧବନ୍‌ ଏବଂ ଅଭିନେତ୍ରୀ ରକୁଲ୍‌ ପ୍ରୀତ୍‌ ସିଂ ମଧ୍ୟ ନଜର ଆସିବେ। ଶୁଟିଂ ପାଇଁ ଫିଲ୍ମର ସମସ୍ତ ଷ୍ଟାର୍‌କାଷ୍ଟ ଆସନ୍ତା ମାସରେ ପଞ୍ଜାବ ଯିବେ ବୋଲି ରିପୋର୍ଟରେ କୁହାଯାଇଛି। ତେବେ ଅଜୟ ବର୍ତ୍ତମାନ ବ୍ରିଟେନ୍‌ରେ ‘ସନ୍‌ ଅଫ୍‌ ସର୍ଦ୍ଦାର ୨’ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି।
ମିଡିଆ ରିପୋର୍ଟ ଅନୁଯାୟୀ, ‘ଦେ ଦେ ପ୍ୟାର୍‌ ଦେ ୨’ ଫିଲ୍ମରେ ଅଭିନେତା ଅନିଲ କପୁରଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଉକ୍ତ ଚଳଚ୍ଚିତ୍ରରେ ଅନିଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ। ଏନେଇ ଫିଲ୍ମ ନିର୍ମାତାଙ୍କ ସହ ଅନିଲଙ୍କର ଆଲୋଚନା ମଧ୍ୟ ସରିଛି। ୨୦୧୯ରେ ମୁକ୍ତିଲାଭ କରିଥିବା ‘ଦେ ଦେ ପ୍ୟାର୍‌ ଦେ’ ଫିଲ୍ମର ଏହି ସିକ୍ୱେଲରେ ପୂର୍ବ ଅପେକ୍ଷା ଅଧିକ ହାସ୍ୟରସ ଦେଖିବାକୁ ମିଳିବ ବୋଲି ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ‘ଦେ ଦେ ପ୍ୟାର୍‌ ଦେ’ ଫିଲ୍ମର କାହାଣୀ ଯେଉଁଠାରୁ ଶେଷ ହୋଇଥିଲା, ସେହିଠାରୁ ହିଁ ‘ଦେ ଦେ ପ୍ୟାର୍‌ ଦେ ୨’ ଫିଲ୍ମର କାହାଣୀ ଆରମ୍ଭ ହେବ। ଅଂଶୁଲ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଆସନ୍ତା ବର୍ଷ ମେ’ ୧୬ରେ ରିଲିଜ୍‌ ହେବ।

Share