ଶାହାରୁଖଙ୍କ ସହ ବିବାଦକୁ ନେଇ ମୁହଁ ଖୋଲିଲେ ଅଜୟ ଦେବଗନ

ମୁମ୍ବାଇ: ଅଜୟ ଦେବଗନ ଏବଂ ଶାହରୁଖ ଖାନ ହେଉଛନ୍ତି ବଲିଉଡ୍‌ର ସୁପରଷ୍ଟାର। ଦୁହେଁ ଗୋଟିଏ ବର୍ଷ ମଧ୍ୟରେ ହିଁ ବଲିଉଡରେ ଏଣ୍ଟ୍ରି କରିଥିଲେ। ୧୯୯୧ରେ ବଲିଉଡ୍‌ ସିଙ୍ଘମ ଫିଲ୍ମ ‘ଫୁଲ୍‌ ଔର କାଣ୍ଟେ’ରେ ଡେବ୍ୟୁ କରିଥିଲେ। ସେହିପରି କିଙ୍ଗ୍‌ ଖାନ ୧୯୯୨ରେ ଫିଲ୍ମ ‘ଦିଓ୍ବାନା’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଉଭୟଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଲାଗି ରହିଥିବା ଚର୍ଚ୍ଚା ହେଉଥିଲା। ଏବେ ଅଜୟ ଦେବଗନ ଏ ପ୍ରସଙ୍ଗରେ ନୀରବତା ଭାଙ୍ଗିଛନ୍ତି।

ଏକ ସାକ୍ଷାତକାରରେ ଅଜୟ କହିଛନ୍ତି, ‘ଆମେ ୯୦ ଦଶକରେ ୬-୭ ଅଭିନେତା ଥିଲୁ। ଆମର ଭଲ ବଣ୍ଡିଂ ରହିଛି। ଆମେ ସବୁବେଳେ ପରସ୍ପରକୁ ସମର୍ଥନ କରିଆସିଛୁ। ଗଣମାଧ୍ୟମ ଆମ ବିଷୟରେ ଯାହା ଲେଖନ୍ତି, ମୋ ଏବଂ ଶାହାରୁଖଙ୍କ ମଧ୍ୟରେ ସେପରି କିଛି ନାହିଁ। ଆମେ ଫୋନ୍‌ରେ କଥା ହେଉ। ଆମର ବନ୍ଧନ ବହୁତ ଶକ୍ତିଶାଳୀ। ଯେତେବେଳେ ବି କାହାର ଅସୁବିଧା ହୁଏ, ଆମେ ପରସ୍ପର ନିକଟରେ ଠିଆ ହେଉ।

ଗଣମାଧ୍ୟମ ବ୍ୟତୀତ ପ୍ରଶଂସକମାନେ ମଧ୍ୟ ମନଗଢ଼ା ଖବର ପ୍ରସ୍ତୁତ କରନ୍ତି’ ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ସମସ୍ତଙ୍କୁ କହିବାକୁ ଚାହେଁ ଯେ,; ଆମେ ଏକ। ଆପଣ ପରବର୍ତ୍ତୀ ସମୟରେ ଏହାକୁ ଧ୍ୟାନରେ ରଖିବେ।

ଶାହାରୁଖ ଅଭିନେତ୍ରୀ କାଜଲଙ୍କ ସହ ଅନେକ ସୁପରହିଟ୍‌ ଫିଲ୍ମ କରିଛନ୍ତି। କିନ୍ତୁ ଅଜୟ ଦେବଗନ ଏବଂ ଶାହାରୁଖ ଆଜି ପର୍ଯ୍ୟନ୍ତ କୌଣସି ଫିଲ୍ମ ଏକାଠି କରିନାହାନ୍ତି। ଏବେ ଉଭୟଙ୍କୁ ଏକ ବିଜ୍ଞାପନରେ ଏକାଠି ଦେଖିବାକୁ ମିଳିଥିଲା। ସେମାନଙ୍କର ପ୍ରଶଂସକମାନେ ଉଭୟଙ୍କୁ ଏକାଠି ଦେଖି ବହୁତ ଖୁସି ହୋଇଥିଲେ।

Share