ଅଜୟ ଦେବଗନ-କିଚା ସୁଦୀପ ମୁହାଁମୁହିଁ

ବମ୍ବେ: ଆଜିକାଲି ସମୟରେ ବଲିଉଡ୍‌ ସିନେମାଠାରୁ ଭଲ ବ୍ୟବସାୟ କରୁଛି ଦକ୍ଷିଣ ଭାରତୀୟ ସିନେମା। ନିକଟରେ ରିଲିଜ ହୋଇଥିବା ଆର୍‌ଆର୍‌ଆର୍‌, ପୁଷ୍ପା ଏବଂ କେଜିଏଫ୍‌-୨ ଆଦିକୁ ପାନ୍‌ ଇଣ୍ଡିଆ ଫିଲ୍ମ ବୋଲି କୁହାଯାଉଛି। ଏଭଳି ସମୟରେ ଦକ୍ଷିଣ ଭାରତୀୟ ଅଭିନେତା କିଚା ସୁଦୀପ ହିନ୍ଦୀ ସମ୍ପର୍କରେ ଏକ ବିବାଦୀୟ ବିବୃତ୍ତି ଦେଇଥିଲେ। ହିନ୍ଦୀ ଆମର ରାଷ୍ଟ୍ରୀୟ ଭାଷା ନୁହେଁ ବୋଲି ସେ କହିଥିଲେ। ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଅଜୟ ଦେବଗନ ଏବଂ ସେ।

ସୁଦୀପଙ୍କ ବୟାନକୁ ନେଇ ଅଜୟ ଦେବଗନ ଟୁଇଟରରେ କଡ଼ା ପ୍ରତିକ୍ରିୟା ଦେଇଥିଲେ। ଅଜୟ ତାଙ୍କୁ ଟ୍ୟାଗ୍‌ କରି ‘କିଚା ସୁଦୀପ ମୋ’ ଭାଇ, ଆପଣଙ୍କ ମୁତାବକ ଯଦି ହିନ୍ଦୀ ଆମର ରାଷ୍ଟ୍ରୀୟ ଭାଷା ନୁହେଁ ତେବେ ଆପଣ ନିଜ ମାତୃଭାଷାର ଫିଲ୍ମକୁ ହିନ୍ଦୀରେ ଡବିଂ କରି କାହିଁକି ରିଲିଜ କରୁଛନ୍ତି? ହିନ୍ଦୀ ଆମର ରାଷ୍ଟ୍ରୀୟ ଭାଷା ଥିଲା, ଅଛି ଆଉ ସବୁବେଳ ପାଇଁ ରହିବ। ଜନ ଗଣ ମନ।’

ଅଜୟଙ୍କ ଟୁଇଟ୍‌ ପରେ ସୁଦୀପଙ୍କ ଟିମ୍‌ ସଫେଇ ଦେଇଛି। ଅଜୟ ଦେବଗନଙ୍କୁ ଅଭିନେତା କେଉଁ ପ୍ରସଙ୍ଗରେ ବୟାନ ଦେଇଛନ୍ତି ତାହା ଜଣା ନ ଥିଲା। ଏବେ ତାଙ୍କୁ ସେ ବିଷୟରେ କୁହାଯାଇଛି। ଏହି ମାମଲାକୁ ଏହିଠାରେ ହିଁ ସମାପ୍ତ କରୁଛୁ’ ବୋଲି ତାଙ୍କ ଟିମ୍‌ କହିଛି।

ଏହାପରେ ପୁନର୍ବାର ଅଜୟ ଟୁଇଟ୍‌ କରି ଦ୍ୱନ୍ଦ୍ୱ ଦୂର କରିଥିବାରୁ ଧନ୍ୟବାଦ। ସବୁ ଫିଲ୍ମଜଗତ ଗୋଟିଏ ବୋଲି ବିଶ୍ୱାସ କରେ। ଆମେ ସବୁ ଭାଷାର ମଧ୍ୟ ସମ୍ମାନ କରିଥାଉ। ଆମ ମାତୃଭାଷାକୁ ସମସ୍ତେ ସମ୍ମାନ କରନ୍ତୁ ବୋଲି ଆମେ ଚାହିଁଥାଉ। ଅନୁବାଦ ସମୟରେ ବୋଧହୁଏ କିଛି ରହିଯାଇଥିଲା ବୋଲି କହିଛନ୍ତି।

Share