Categories: ଖେଳ

ବିଶ୍ୱକପ୍‌ରେ ଆଫଗାନିସ୍ତାନକୁ ଏକ ଲଢ଼ୁଆ ଟିମ୍‌ରେ ପରିବର୍ତ୍ତିତ କରିଛନ୍ତି ଏହି ପୂର୍ବତନ ଭାରତୀୟ କ୍ରିକେଟର, ଇଂଲଣ୍ଡ ପରେ ପାକିସ୍ତାନ ବି…

ନୂଆଦିଲ୍ଲୀ,୨୪।୧୦: ବିଶ୍ୱକପ୍‌ ୨୦୨୩ରେ ଆଫଗାନିସ୍ତାନ ଟିମ୍‌ର ପ୍ରଦର୍ଶନ ଚର୍ଚ୍ଚାର କାରଣ ପାଲଟିଛି। ସୋମବାର ପାକିସ୍ତାନ ଟିମ୍‌ ଆଫଗାନିସ୍ତାନ ବିପକ୍ଷରେ ବିଜେତା ହେବାର ଆଶା ନେଇ ମଇଦାନକୁ ଓହ୍ଲାଇଥିଲା। ହେଲେ ତାହା ହୋଇପାରି ନାହିଁ। ଆଫଗାନିସ୍ତାନ ଟିମ୍‌ ପୁଣିଥରେ ଜବରଦସ୍ତ ପ୍ରଦର୍ଶନ କରି ପାକିସ୍ତାନ ଲାଗି ସେମିଫାଇନାଲ ରାସ୍ତାକୁ କଠିନ କରିଛି। ପ୍ରଥମ ଥର ଲାଗି ଅନ୍ତର୍ଜାତୀୟ କ୍ରିକେଟ ଇତିହାସରେ ପାକିସ୍ତାନକୁ ଆଫଗାନିସ୍ତାନ ପରାସ୍ତ କରିଛି। ଏହାପୂର୍ବରୁ ଦୁଇ ଦଳ ୭ ଥର ମୁହାଁମୁହିଁ ହୋଇଥିଲେ ହେଁ ସବୁଥିରେ ପାକିସ୍ତାନ ବିଜେତା ହୋଇଥିଲା। ମ୍ୟାଚ୍‌ରେ ପାକିସ୍ତାନ ଆଫଗାନିସ୍ତାନକୁ ୨୮୩ ରନ୍‌ର ଟାର୍ଗେଟ ଦେଇଥିଲା। ଏହାକୁ ଦଳ ମାତ୍ର ୨ ଉଇକେଟ ହରାଇ ସହଜରେ ହାସଲ କରିନେଇଥିଲା। ତେବେ ଏହି ସଫଳତା ପଛରେ ଖେଳାଳି, କୋଚ୍‌ଙ୍କ ସହ ପୂର୍ବତନ ଭାରତୀୟ କ୍ରିକେଟର ଅଜୟ ଜାଡେଜା ଥିବା କୁହାଯାଉଛି।

ଅଜୟ ଜାଡେଜାଙ୍କୁ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ବିଶ୍ୱକପ୍‌ ଆରମ୍ଭ ହେବା ପୂର୍ବରୁ ମେଣ୍ଟର ଭାବେ ନିଯୁକ୍ତ କରିଥିଲା। କାରଣ ତାଙ୍କର ଭାରତୀୟ ମଇଦାନ ବିଷୟରେ ଜ୍ଞାନ ରହିଥିଲା। ଏବେ ତାଙ୍କର ବର୍ଷ ବର୍ଷର ଅଭିଜ୍ଞତା ଆଫଗାନିସ୍ତାନ ଟିମ୍‌ର ସଠିକ୍‌ ମାର୍ଗଦର୍ଶକ ସାଜିଛି। ଦଳ ଏବେ ବିଶ୍ୱକପ୍‌ରେ ବଡ଼ ବଡ଼ ଟିମ୍‌ ସହ ସହଜରେ ପ୍ରତିଦ୍ୱନ୍ଦ୍ୱିତା କରିପାରୁଥିବା ଏକ ଶକ୍ତିଶାଳୀ ଟିମ୍‌ରେ ପରିବର୍ତ୍ତିତ ହୋଇଛି। ପ୍ରଥମେ ଇଂଲଣ୍ଡ ପରେ ପାକିସ୍ତାନକୁ ପରାଜିତ କରିବା ଏହାର ଉଦାହରଣ ବୋଲି କୁହାଯାଉଛି।

Share