ଶରତଙ୍କ ଇସ୍ତଫା ଖବରକୁ ନେଇ ବଡ଼ ବୟାନ ଦେଲେ ଅଜୟ କୁମାର

ଭୁବନେଶ୍ୱର, ୨୯।୬(ସୁନିତ୍‌ ମିଶ୍ର): ୨୦୨୪ ନିର୍ବାଚନରେ ରାଜ୍ୟରେ ପ୍ରଥମ ଥର ଲାଗି ଭାଜପା ସରକାର କ୍ଷମତାକୁ ଆସିଥିବା ବେଳେ ୨୦୧୯ ତୁଳନାରେ କଂଗ୍ରେସର ବିଧାୟକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ବିଜେଡି ୨୪ ବର୍ଷ ଧରି ସରକାରରେ ଥିବାବେଳେ ଏଥର ରାଜ୍ୟବାସୀ ତାକୁ କ୍ଷମତାଚ୍ୟୁତ କରିଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା ଭାବେ ବାଛି ସାରିଥିବା ବେଳେ ଭାଜପା ବିଧାୟକ ଦଳ ନେତା ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦାୟିତ୍ୱ ନେଇସାରିଲେଣି। ହେଲେ ଏ ପର୍ଯ୍ୟନ୍ତ କଂଗ୍ରେସ ବିଧାୟକ ଦଳ ନେତା ଚୟନରେ ପଛରେ ପଡ଼ିଯାଇଛି। ବିଧାୟକ ଦଳ ନେତା ପଦବୀକୁ ନେଇ କଂଗ୍ରେସ ଭିତରେ ଦ୍ୱନ୍ଦ୍ୱ ଚାଲିଥିବା ଜଣାପଡିଛି। ଅନ୍ୟପଟେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକଙ୍କ ଇସ୍ତଫା ନେଇ ମଧ୍ୟ ଦଳ ଭିତରେ ଆଲୋଚନା ଜୋର୍‌ ଧରିଲାଣି। ଏଭଳି ସ୍ଥିତିରେ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର କହିଛନ୍ତି , ବିଧାୟକ ଦଳ ନେତା କିଏ ହେବେ ତାକୁ ନେଇ ଯେଉଁ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା ତାହା ଏଆଇସିସି (ଅଖିଳ ଭାରତ କଂଗ୍ରେସ କମିଟି) ସଭାପତିଙ୍କ ନିକଟକୁ ପଠାଇ ଦିଆଯାଇଛି। ଖୁବ୍‌ଶୀଘ୍ର ଏନେଇ ଘୋଷଣା କରାଯିବ। ଅନ୍ୟପଟେ ପିସିସି ସଭାପତିଙ୍କ ଇସ୍ତଫାକୁ ନେଇ ଚାଲିଥିବା ଆଲୋଚନା ଉପରେ ପ୍ରତିକ୍ରିୟା ଦେଇ ଅଜୟ କୁମାର କହିଛନ୍ତି, ଶରତ ପଟ୍ଟନାୟକ ନିର୍ବାଚନ ପରେ ତାଙ୍କ ଇସ୍ତଫା ଦେବା ନେଇ କହିଦେଇଥିଲେ। ହେଲେ ସମୟ ଅନୁସାରେ ସବୁ ହେବ। ହଠାତ୍‌ ସବୁ କିଛି ଦଳରେ ହୁଏ ନାହିଁ। ସେହିପରି ରାଜ୍ୟରେ ନିର୍ବାଚନ ବିପର୍ଯ୍ୟୟ ବିଷୟ ନେଇ ବରିଷ୍ଠ ନେତାମାନେ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି। ବରିଷ୍ଠ ନେତା ପଞ୍ଚାନନ କାନୁନ୍‌ଗୋ ଶୁକ୍ରବାର ଗଣମାଧ୍ୟମକୁ କହିଥିଲେ, ସେ ଶରତ ପଟ୍ଟନାୟକଙ୍କୁ ବିପର୍ଯ୍ୟୟ କାରଣ ନେଇ ବୈଠକ କରିବାକୁ ଚିଠି ଲେଖିଥିଲେ ମଧ୍ୟ ଏଯାଏଁ ଏନେଇ କିଛି କରାଗଲା ନାହିଁ କି ଉତ୍ତର ମିଳିଲା ନାହିଁ। ଏନେଇ ଅଜୟ କୁମାର କହିଛନ୍ତି, ୨ ବରିଷ୍ଠ ଏଆଇସିସି ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। ପାର୍ଲାମେଣ୍ଟ ଅଧିବେଶନ ଶେଷ କଂପେରେ ଏହା ଉପରେ ଆଲୋଚନା ହେବ। ରାଜ୍ୟକୁ ଉଭୟ କେନ୍ଦ୍ରୀୟ ନେତା ଆସିବେ ନ ହେଲେ ଦିଲ୍ଲୀକୁ ରାଜ୍ୟ ନେତାଙ୍କୁ ଡାକି ବୈଠକ କରାଯିବ ବୋଲି ସେ କହିଛନ୍ତି।