Categories: ଜାତୀୟ

କଂଗ୍ରେସ ଚିନ୍ତନ ଶିବିରରେ ଗୋଟିଏ ପରିବାର ଗୋଟିଏ ଟିକେଟକୁ ମିଳିଲା ସହମତି, ଦଳରେ ୫୦ ପ୍ରତିଶତ ଯୁବକ ହେବେ ସାମିଲ

ଉଦୟପୁର,୧୩ ।୫: ରାଜସ୍ଥାନ ଉଦୟପୁରରେ ଶୁକ୍ରବାର କଂଗ୍ରେସର ୩ ଦିନିଆ ଚିନ୍ତନ ଶିବିର ଆୟୋଜନ କରାଯାଇଛି । ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛି । ତେବେ ଏହି ଚିନ୍ତନ ଶିବିରରେ ସଙ୍ଗଠନରେ କିଛି ପରିବର୍ତ୍ତନକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କଂଗ୍ରେସ ମହାସଚିବ ଅଜୟ ମାକେନ କହିଛନ୍ତି ଦଳ ଏକ ପରିବାର, ଏକ ଟିକେଟ ନିୟମରେ ସମ୍ପୂର୍ଣ୍ଣ ଭାବେ ସହମତ ପ୍ରକାଶ କରିଛି । ସମ୍ମିଳନୀ ପରେ ସେ ଦଳରେ ବଡ ସଙ୍ଗଠନାତ୍ମକ ପରିବର୍ତ୍ତନ କଥା କହିଛନ୍ତି ।
ଅଜୟ ମାକେନ କହିଛନ୍ତି ସଙ୍ଗଠନର ପ୍ରାୟ ସମସ୍ତ ସଦସ୍ୟ ଗୋଟିଏ ପରିବାର ଗୋଟିଏ ଟିକେଟରେ ସହମତି ପ୍ରକାଶ କରିଛନ୍ତି । ତେବେ ପରିବାରର ଦ୍ୱିତୀୟ ସଦସ୍ୟଙ୍କୁ ସେତେବେଳେ ଟିକେଟ ଦିଆଯିବ ଯେତେବେଳେ ଜଣେ ସଦସ୍ୟ ଦଳରେ ଅତିକମରେ ୫ ବର୍ଷ କାମ କରିଥିବେ । ଏହାସହ ଦଳର କୌଣସି ନେତା କୌଣସି ପଦରେ ୫ ବର୍ଷରୁ ଅଧିକ ଦିନ ରହିପାରିବେ ନାହିଁ । ଯଦି କୌଣସି ବ୍ୟକ୍ତିଙ୍କୁ ସେହି ପଦକୁ ଆଣିବାକୁ ଇଚ୍ଛା ପ୍ରକାଶ କରାଯାଏ ତେବେ ତାଙ୍କ ପାଇଁ ୩ ବର୍ଷ କୁଲିଂ ପରିୟଡ ଅନିର୍ବାର୍ଯ୍ୟ କରାଯାଇଛି ।
ଦଳ ପକ୍ଷରୁ ସ୍ଥିର କରାଯାଇଛି କି ଏବେ ସବୁ ସ୍ତରରେ ସଙ୍ଗଠନରେ ଅତିକମରେ ୫୦ ପ୍ରତିଶତ ଯୁବକଙ୍କୁ ସାମିଲ କରାଯିବ । ବ୍ଲକ ଓ ବୁଥ ମଧ୍ୟରେ ମଣ୍ଡଳ ସମିତି ପାଇଁ ସହମତି ପ୍ରକାଶ ପାଇଛି । ଗୋଟିଏ ମଣ୍ଡଳ ସମିତିରେ ୧୫-୨୦ ବୁଥ ରହିବ ।

Share