ଓଡ଼ିଶାରେ କାହିଁକି ଫେଲ୍ ମାରିଲା କଂଗ୍ରେସ, ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଖୋଜିବ କାରଣ

ନୂଆଦିଲ୍ଲୀ, ୧୯।୬: କିଛି ରାଜ୍ୟରେ ଲୋକ ସଭା ଏବଂ ଓଡ଼ିଶା ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଥିଲା। ଏହି ସବୁ ରାଜ୍ୟରେ କାହିଁକି ଦଳ ଖରାପ ପ୍ରଦର୍ଶନ କଲା, ଏହାର କାରଣ ଖୋଜିବାକୁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛି କଂଗ୍ରେସ। ଓଡ଼ିଶା ସମେତ ମଧ୍ୟ ପ୍ରଦେଶ, ଛତିଶଗଡ଼, ଦିଲ୍ଲୀ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ ଏବଂ ତେଲେଙ୍ଗାନା ପାଇଁ ଟିମ୍ ଗଠନ କରାଯାଇଛି।

ଓଡ଼ିଶା ପାଇଁ ଅଜୟ ମାକେନ ଏବଂ ତାରିକ ଆନୱାରଙ୍କୁ ଦାୟିତ୍ୱ ମିଳିଛି। ସେହିପରି ଓଡିଶାରୁ ଏକମାତ୍ର କଂଗ୍ରେସ ଏମପି ସପ୍ତଗିରି ଉଲକାଙ୍କୁ ମଧ୍ୟପ୍ରଦେଶରେ ଦଳର ପରାଜୟର କାରଣ ଖୋଜିବାକୁ ଦାୟିତ୍ୱ ଦିଆଯାଇଛି। ତାଙ୍କ ସହିତ ପୃଥ୍ବୀ ରାଜ ଚଭନ ଏବଂ ଜିଜିନେଶ ମାଭେନିଙ୍କୁ ମଧ୍ୟ ପ୍ରଦେଶ ଦାୟିତ୍ୱ ମିଳିଛି।

ଛତିଶଗଡ଼ ପାଇଁ ବିରପ୍ପା ମୋଇଲି ଏବଂ ହରିଶ ଚୌଧୁରୀ। ଦିଲ୍ଲୀ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ପାଇଁ ପି.ଏଲ ପୁନିଆ ଏବଂ ରଜନୀ ପାଟିଲଙ୍କୁ ଦାୟିତ୍ୱ ମିଳିଛି। କର୍ଣ୍ଣାଟକ ପାଇଁ ମଧୁସୂଦନ ମିସ୍ତ୍ରୀ, ଗୌରବ ଗୋଗଇ ଏବଂ ହିବି ଏଡେନଙ୍କୁ ଦାୟିତ୍ୱ ମିଳିଛି। ସେହିପରି ତେଲେଙ୍ଗାନା ପାଇଁ ପି.କେ କୁରିଏନ, ରକିବୁଲ ହୁସେନ ଏବଂ ପରଗତ ସିଂହଙ୍କୁ ଦାୟିତ୍ୱ ମିଳିଛି।

ଗତ ଲୋକ ସଭା ନିର୍ବାଚନରେ କଂଗ୍ରେସ ୯୯ ଲୋକ ସଭା ଆସନରେ ବିଜୟୀ ହୋଇଥିଲା ବେଳେ ଓଡ଼ିଶା ବିଧାନସଭା ନିର୍ବାଚନରେ ମାତ୍ର ୧୫ ଟି ଆସନରେ ବିଜୟୀ ହୋଇଥିଲା।

 

Share