କରୋନା ସଙ୍କଟ ଯୋଗୁ ସ୍ଥଗିତ ହେଲା ଅଜୟଙ୍କ ଏହି ଫିଲ୍ମ: ଜାଣନ୍ତୁ କେବେ ହେବ ରିଲିଜ୍‌

ମୁମ୍ବାଇ: କରୋନା ଭାଇରସ୍‌ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିରେ ଏଭଳି ପ୍ରଭାବ ପକାଇଛି, ଯାହା ଦୀର୍ଘ ଦିନ ଧରି ଦେଖାଯିବ। କୋଟି କୋଟି ଟଙ୍କାର କ୍ଷତି ସହିଥିବା ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରି ଏବେ ପୁଣିଥରେ ନିଜ ଗୋଡ଼ରେ ଠିଆ ହେବାକୁ ଚେଷ୍ଟା କରୁଛି। ଇତିମଧ୍ୟରେ ଏକ ଖବର ଶୁଣିବାକୁ ମିଳିଛି ଯେ, ବଲିଉଡ୍‌ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ‘ମୈଦାନ’ନୂଆ ତାରିଖରେ ରିଲିଜ୍‌ ହେବାକୁ ଯାଉଛି। ସୂଚନା ମୁତାବକ ଅଜୟଙ୍କ ଉଚ୍ଚଭିଳାଷୀ ଫିଲ୍ମ ମୈଦାନର ରିଲିଜ୍‌କୁ ନେଇ ପ୍ରଶଂସକଙ୍କ ମନରେ ଉତ୍କଣ୍ଠା ଭରି ରହିଛି। ତେବେ ପ୍ରଶଂସକଙ୍କୁ ଖୁସି କରିବାକୁ ଯାଇ ଅଜୟ ସୋସିଆଲ ମିଡିଆରେ ଫିଲ୍ମର ରିଲିଜ୍‌ ତାରିଖ ଘୋଷଣା କରିଛନ୍ତି। ଆସନ୍ତା ବର୍ଷ ସ୍ବାଧିନତା ଦିବସ ଅବସରରେ ଏହି ଫିଲ୍ମକୁ ରିଲିଜ୍‌ କରାଯିବ। ଅର୍ଥାତ୍‌ ୨୦୨୧ ଅଗଷ୍ଟ ୧୩ରେ ଫିଲ୍ମ ମୈଦାନ ରିଲିଜ୍‌ କରାଯିବ ବୋଲି ଅଜୟ ସୂଚନା ଦେଇଛନ୍ତି। ପୂର୍ବରୁ ଚଳିତ ବର୍ଷ ନଭେମ୍ବରରେ ଏହାକୁ ରିଲିଜ୍‌ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ କରୋନା ଭାଇରସ୍‌ ଯୋଗୁ ଫିଲ୍ମ ମୈଦାନକୁ ସ୍ଥଗିତ ରଖିବାକୁ ପଡ଼ିଛି। ତେବେ ଆସନ୍ତା ବର୍ଷ ଦର୍ଶକ ଏହି ଫିଲ୍ମକୁ ସିଧାସଳଖ ହଲ୍‌ରେ ଦେଖିପାରିବେ। ଅମିତ ଶର୍ମାଙ୍କ ନିର୍ଦ୍ଦେଶିତ ଉକ୍ତ ଫିଲ୍ମରେ ଅଜୟ ଜଣେ ଫୁଟବଲ କୋଚ୍‌ ଚରିତ୍ରରେ ନଜର ଆସିବେ। ଅଜୟ ଏହି ଚଳଚ୍ଚିତ୍ରରେ ସୟିଦ ଅବଦୁଲ ରହୀମ ଭୂମିକାରେ ଅଭିନୟ କରିବେ। ସୟିଦ ପ୍ରକୃତରେ ୧୯୫୦ରୁ ୧୯୬୩ ପର୍ଯ୍ୟନ୍ତ ଫୁଟବଲ ଦଳର କୋଚ ଥିଲେ। ସୟିଦଙ୍କୁ ଆଧୁନିକ ଭାରତୀୟ ଫୁଟବଲର ସ୍ଥପତି ମଧ୍ୟ କୁହାଯାଏ।

Share