Categories: ଖେଳ

ଟିମ୍‌ ଇଣ୍ଡିଆ ତ ଦୂରର କଥା, ଏବେ ମୁମ୍ବାଇ ଟିମ୍‌ରେ ବି ସୁଯୋଗ ମିଳି ନ ପାରେ…

ନୂଆଦିଲ୍ଲୀ,୨୭।୨: ସମୟ ଥିଲା ଯେତେବେଳେ ଅଜିଙ୍କ୍ୟ ରାହାନେ ଟିମ୍‌ ଇଣ୍ଡିଆ ବ୍ୟାଟିଂର ପ୍ରମୁଖ ଅଂଶ ଥିଲେ। ମଧ୍ୟକ୍ରମରେ ଉଲ୍ଲେଖନୀୟ ବ୍ୟାଟିଂ କରି ସେ ଅନେକ ମ୍ୟାଚ୍‌ ଜିତାଇଥିଲେ। ଏହି କାରଣରୁ ତାଙ୍କୁ ଟେଷ୍ଟ ଟିମ୍‌ର ଅଧିନାୟକ ମଧ୍ୟ କରାଯାଇଥିଲା। ବର୍ତ୍ତମାନ ସମୟରେ ସେ ଦଳରୁ ବାଦ୍‌ ପଡ଼ିଛନ୍ତି। ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ସେ ୨୦୨୩ରେ ଦଳରେ ଥିଲେ ହେଁ ପରେ ବାଦ ପଡ଼ିଥିଲେ। ଏବେ ରାହାନେ ଏଭଳି କିଛି କରିଛନ୍ତି, ଯାହାଫଳରେ ତାଙ୍କର ଦଳକୁ ଫେରିବା ଅସମ୍ଭବ ଲାଗୁଛି। ଏପରିକି ଫର୍ମକୁ ନେଇ ସେ ମୁମ୍ବାଇ ଟିମ୍‌ରୁ ମଧ୍ୟ ବାଦ୍‌ ପଡ଼ିପାରନ୍ତି।

ରାହାନେ ଏବେ ମୁମ୍ବାଇ ରଣଜୀ ଟିମ୍‌ର ଅଧିନାୟକ ଅଛନ୍ତି। ହେଲେ ସେ ଭଲ ବ୍ୟାଟିଂ କରୁନାହାନ୍ତି। ଦଳର ୧୦ମସ୍ଥାନରେ ଆସିଥିବା ବ୍ୟାଟ୍ସମ୍ୟାନ ମଧ୍ୟ ତାଙ୍କଠାରୁ ଭଲ ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ରାହାନେ ୦, ୦, ୧୬, ୮, ୯, ୧, ୫୬*, ୨୨, ୩, ୦ ରନ୍‌ କରିଛନ୍ତି। ମୋଟ ସ୍କୋର ଦେଖିଲେ ପୁରା ସିଜନରେ ସେ ୧୧୫ ରନ୍‌ କରିଛନ୍ତି। ଏଣୁ ତାଙ୍କ ବ୍ୟାଟିଂ ଚିନ୍ତାର ବିଷୟ ପାଲଟିଛି। ଅଧିନାୟକ ହୋଇଥିବା ଯୋଗୁ ତାଙ୍କୁ ଦଳରେ ରଖାଯାଇଥିବା କୁହାଯାଉଛି। ନଚେତ ସେ କେବେଠାରୁ ବାଦ୍‌ ପଡ଼ିଯାଇଥାନ୍ତେ। ଯଦି ଏଭଳି ଭାବେ ତାଙ୍କର ପ୍ରଦର୍ଶନ ରହିଲା ତେବେ ଭାରତୀୟ ଟିମ୍‌ ତ ଦୂରର କଥା ମୁମ୍ବାଇ ଟିମ୍‌ରୁ ମଧ୍ୟ ସେ ବାଦ୍‌ ପଡ଼ିପାରନ୍ତି।

Share