Categories: ଖେଳ

ଅଜିଙ୍କ୍ୟ ରାହାଣେ ହଠାତ କ୍ରିକେଟରୁ ନେଲେ ବ୍ରେକ୍‌, ଟୁର୍ନାମେଣ୍ଟ ଖେଳିବାକୁ କଲେ ମନା…

କୋଲକାତା,୩୦।୭ : ଟିମ ଇଣ୍ଡିଆର ଅଭିଜ୍ଞ ଖେଳାଳି ଅଜିଙ୍କ୍ୟ ରାହାଣେଙ୍କ ସହ ଜଡିତ ଏକ ବଡ ଖବର ବାହାରକୁ ଆସୁଛି। ରାହାଣେ ହଠାତ କ୍ରିକେଟରୁ ବ୍ରେକ୍‌ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଫଳସ୍ବରୂପ, ସେ ଆଉ କାଉଣ୍ଟି କ୍ରିକେଟ ଖେଳିବାକୁ ଇଂଲଣ୍ଡ ଯିବେ ନାହିଁ ଏବଂ ପରିବାର ସହିତ ସମୟ ବିତାଇବେ। ବାସ୍ତବରେ ଅଜିଙ୍କ୍ୟ ରାହାଣେ ଦୀର୍ଘ ଦିନ ଧରି କ୍ରମାଗତ କ୍ରିକେଟ ଖେଳୁଥିଲେ। ପ୍ରଥମେ ଆଇପିଏଲ, ଡବ୍ଲୁଟିସି ଫାଇନାଲ ଏବଂ ପରେ ୱେଷ୍ଟଇଣ୍ଡିଜ ସହିତ ଟେଷ୍ଟ ସିରିଜ ଖେଳିଥିଲେ। କିନ୍ତୁ, ବର୍ତ୍ତମାନ ସେ କିଛି ସମୟ ରହିବାକୁ ନିଷ୍ପତ୍ତି ନେଇ ଅଗଷ୍ଟ-ସେପ୍ଟେମ୍ବରରେ କ୍ରିକେଟରୁ ବିରତି ନେଇଛନ୍ତି।

ରାହାଣେ କାଉଣ୍ଟି ଖେଳିବାକୁ ମଧ୍ୟ ଯିବେ ନାହିଁ। କାଉଣ୍ଟି ଦଳ ଲିସେଷ୍ଟେରେଶର୍‌ ଅଜିଙ୍କ୍ୟ ରାହାଣେଙ୍କ ସହ ଏକ ଚୁକ୍ତିନାମା ସ୍ବାକ୍ଷର କରିଥିଲେ। ଯାହା ଅନୁଯାୟୀ ତାଙ୍କୁ ଇଂଲଣ୍ଡର ଘରୋଇ ୫୦ ଓଭର ଟୁର୍ନାମେଣ୍ଟ ୱାନ ଡେ କପ ଖେଳିବାକୁ ଇଂଲଣ୍ଡ ଯିବାର ଥିଲା। ତେବେ ଅଗଷ୍ଟ ଏବଂ ସେପ୍ଟେମ୍ବରରେ କ୍ରିକେଟରୁ ବ୍ରେକ୍‌ ନେବାକୁ ରାହାଣେ ନିଷ୍ପତ୍ତି ନେଇଛନ୍ତି। ତେବେ, ଲେଷ୍ଟେଷ୍ଟେୟାର କ୍ଲବର ନିର୍ଦ୍ଦେଶକଙ୍କ ତରଫରୁ କୁହାଯାଇଛି ଆମେ ଅଜିଙ୍କ୍ୟଙ୍କ ଅବସ୍ଥାକୁ ଭଲଭାବେ ବୁଝୁଛୁ। ତାଙ୍କର କାର୍ଯ୍ୟସୂଚୀ ବର୍ତ୍ତମାନ କିଛି ସମୟ ପାଇଁ ବହୁତ ବ୍ୟସ୍ତ ଅଛି । ଆମେ ତାଙ୍କ ଇଚ୍ଛାକୁ ପୂର୍ଣ୍ଣ ସମ୍ମାନ ଦେଉଛୁ। ସେ ତାଙ୍କ ପରିବାର ସହିତ ସମୟ ବିତାଇବାକୁ ଚାହୁଁଛନ୍ତି। ଆମେ ରାହାଣେଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛୁ ଏବଂ ବୁଝିପାରୁଛୁ କ୍ରିକେଟରେ ପରିସ୍ଥିତି ବଦଳୁଛି ଏବଂ ସେ ଦିନେ ଲେଷ୍ଟେଷ୍ଟେୟାରରେ ଖେଳିବେ ବୋଲି ଆଶା କରୁଛନ୍ତି। ତେବେ, ବର୍ତ୍ତମାନ ରାହାଣେ ନ ଯିବାରୁ ଅଷ୍ଟ୍ରେଲିଆ ଖେଳାଳି ପିଟର ହ୍ୟାଣ୍ଡସକମ୍ବ ତାଙ୍କ ସ୍ଥାନ ନେବେ।

ଅଜିଙ୍କ୍ୟ ରାହାଣେ କ୍ରମାଗତ ଭାବେ କ୍ରିକେଟ ଖେଳିଥିଲେ। ଖରାପ ଫର୍ମ ଯୋଗୁଁ ସେ ଟିମ ଇଣ୍ଡିଆରୁ ତାଙ୍କୁ ଡ୍ରପ୍‌ କରାଯାଇଥିଲା। କିନ୍ତୁ ସେ ହାର ମାନି ନ ଥିଲେ ଏବଂ ଆଇପିଏଲ ୨୦୨୩ରେ ଏକ ଭଲ ଖେଳ ପ୍ରଦର୍ଶନ କରି ଟିମ ଇଣ୍ଡିଆକୁ ସେ ଫେରିଥିଲେ। ଏହା ପରେ ସେ ଡବ୍ଲୁଟିସି ଫାଇନାଲ ୨୦୨୩ରେ ମଧ୍ୟ ଭଲ ବ୍ୟାଟିଂ କରିଥିଲେ। ଫଳସ୍ବରୂପ, ସେ ୱେଷ୍ଟଇଣ୍ଡିଜ ଗସ୍ତରେ ନିଜର ଉପ-ଅଧିନାୟକତ୍ୱ ଫେରି ପାଇଥିଲେ। ତେବେ ବର୍ତ୍ତମାନ ସେ ପରିବାର ସହିତ ଆସନ୍ତା ୨ ମାସ ବିତାଇବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ କ୍ରିକେଟରୁ ସାମୟିକ ବିରତି ନେଇଛନ୍ତି। ଭାରତକୁ ଡିସେମ୍ବର-ଜାନୁଆରୀରେ ଦକ୍ଷିଣ ଆଫ୍ରିକା ସହିତ ପରବର୍ତ୍ତୀ ଟେଷ୍ଟ ସିରିଜ ଖେଳିବାକୁ ପଡିବ।

Share