Categories: ଜାତୀୟ

ଅଜିତ ପାଓ୍ବାର ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଉପରେ ଲାଗିଲା ବିରାମ: ପଡନବିସ କହିଲେ…

ପୁଣେ,୩।୮: ଅଜିତ ପାୱାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ ମହାରାଷ୍ଟ୍ରର ରାଜନୈତିକ ଗଳିରେ ଜୋରଦାର ଆଲୋଚନା ହେଉଛି। କିନ୍ତୁ ମୁଖ୍ୟମନ୍ତ୍ରୀ ପଦରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଗୁରୁବାର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ବିଧାନସଭାରେ ସ୍ପଷ୍ଟ କରିଛନ୍ତି। ୨୦୧୯ ପରେ ଅନେକ ପରିବର୍ତ୍ତନ ଆସିଛି କିନ୍ତୁ ବର୍ତ୍ତମାନ କୌଣସି ପରିବର୍ତ୍ତନ ଘଟିବ ନାହିଁ ଏହା କହି ସେ ଅଜିତ ପାୱାରଙ୍କ ମୁଖ୍ୟମନ୍ତ୍ରୀ ହେବା ନେଇ ହେଉଥିବା ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି।
ଗୃହରେ ବିରୋଧୀଦଳର ନେତା ବିଜୟ ୱାଡେଟିୱାରଙ୍କୁ ଅଭିନନ୍ଦନ ଜଣାଇବାବେଳେ ଦେବେନ୍ଦ୍ର ଫଡନବିସ କହିଛନ୍ତି, ୨୦୧୯ ଏକ ବିଶେଷ ବର୍ଷ ଥିଲା। ୨୦୧୯ରେ ଅନେକ ରେକର୍ଡ ହୋଇଥିଲା। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନାମରେ ଏକ ରେକର୍ଡ ରହିଛି। ୨୦୧୯ର ହିରୋ ହେଉଛନ୍ତି ଏକନାଥ ଶିନ୍ଦେ ଏବଂ ବର୍ତ୍ତମାନ ଦ୍ୱିତୀୟ ହିରୋ ହେଉଛନ୍ତି ଅଜିତ ପାୱାର। ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହୋଇଥିଲେ, ଅଜିତ ପାୱାର ପ୍ରଥମେ ଉପମୁଖ୍ୟମନ୍ତ୍ରୀ, ପରେ ବିରୋଧୀ ଦଳର ନେତା ତଥା ବର୍ତ୍ତମାନ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ରାଜ୍ୟବାସୀ ଅନେକ ପରିବର୍ତ୍ତନ ଦେଖିଛନ୍ତି, କିନ୍ତୁ ବର୍ତ୍ତମାନ କୌଣସି ପରିବର୍ତ୍ତନ ହେବ ନାହିଁ।
ପଡନବିସ କିଛି ଦିନ ପୂର୍ବରୁ ଗଣମାଧ୍ୟମ ସମ୍ମୁଖରେ ସ୍ପଷ୍ଟ କରିଦେଇଥିଲେ ଯେ, ଏକନାଥ ଶିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ରହିବେ ଏବଂ ବର୍ତ୍ତମାନ ସେ ବିଧାନସଭାରେ ସମାନ କଥା ସ୍ପଷ୍ଟ କରିଛନ୍ତି। ଏଥି ସହିତ ଦୁଇ ଦିନ ପୂର୍ବେ ଅଜିତ ପାୱାର ପୁଣେରେ କହିଥିଲେ,ରାଜ୍ୟର ମୁଖ୍ୟମନ୍ତ୍ରୀ ହେଉଛନ୍ତି ଏକନାଥ ଶିନ୍ଦେ। ମୁଁ ଏବଂ ଦେବେନ୍ଦ୍ର ଫଡନବିସ ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛୁ ସେଥିପାଇଁ ଆମେ ପାଇଥିବା ଦାୟିତ୍ୱକୁ ପୂରଣ କରିବା ଉଚିତ୍‌। ଅଜିତ ପାୱାରଙ୍କୁ ଭାଜପା ମୁଖ୍ୟମନ୍ତ୍ରୀ ପଦବୀ ଦେବ ବୋଲି ବିରୋଧୀ କଂଗ୍ରେସ ନେତା ପୃଥ୍ବୀରାଜ ଚୌହାନ ଏବଂ ଶିବସେନା ଏମ୍‌ପି ସଞ୍ଜୟ ରାଉତ ଦାବି କରିଛନ୍ତି।

Share