Categories: ଜାତୀୟ

ଅଜିତ ପାଓ୍ବାରଙ୍କ ଏଣ୍ଟ୍ରି ପରେ ସିନ୍ଦେ ଶିବିରରେ ହଟଚମଟ, ଏନସିପିକୁ ସରକାରରେ ସାମିଲ କରିବା ନେଇ ନା ଖୁସ କିଛି ବିଧାୟକ

ମୁମ୍ବାଇ,୫।୭: ମହାରାଷ୍ଟ୍ର ରାଜନୀତିରେ ପ୍ରତି ମୂହୁର୍ତ୍ତରେ ଘଡିକରେ ଘୋଡା ଛୁଟୁଛି। ପୁତୁରା ଅଜିତ ପାୱାର ଶରଦ ପାୱାରଙ୍କ ଦଳ ଛାଡି ଭାଜପା-ସିନ୍ଦେ(ଶିବସେନା)ମେଣ୍ଟରେ ଯୋଗ ଦେଇଛନ୍ତି। ଏବଂ ଏକାଥରକେ ଉପ ମୁଖ୍ୟମନ୍ତ୍ରୀର ପଦ ହାତେଇଛନ୍ତି। ଦୁଇ ପାଓ୍ବାରଙ୍କ ମଧ୍ୟରେ ଦଳର ମାଲିକାନାକୁ ନେଇ ଦ୍ୱନ୍ଦ ଯୁଦ୍ଧ ଚାଲିଛି। ଏନେଇ ଦୁଇ ଦଳ ନିଜ ଶକ୍ତି ପ୍ରଦର୍ଶନ ପାଇଁ ବୈଠକ ଡାକିଛନ୍ତି। ତେବେ ଏହାରି ଭିତରେ ଏକ ଘରକିଆ ହୋଇଯାଇଛନ୍ତି ଏକନାଥ ସିନ୍ଦେ। ଉଦ୍ଧବଙ୍କ ଶିବସେନା ଦଳ ଛାଡି ଭାଜପା-ଶିନ୍ଦେ ସରକାର କରିବା ପରେ ସେ ମୁଖ୍ୟମନ୍ତ୍ରୀ ପଦରେ ରାଜ୍‌ କରିଥିଲେ ମଧ୍ୟ ଦଳରେ ନିଜ ଅସ୍ତିତ୍ୱକୁ ନେଇ ଚିନ୍ତାରେ ଅଛନ୍ତି।

ମହାରାଷ୍ଟ୍ର ରାଜନୀତିର ଏହି ମହାନାଟକ ମଧ୍ୟରେ ସିନ୍ଦେଙ୍କୁ କୋଣଠେସା କରାଯାଇଛି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଏସବୁ ଭିତରେ ସଞ୍ଜୟ ରାଉତଙ୍କ ଏକ ବୟାନ ଖୁବ୍‌ ଚର୍ଚ୍ଚା ହେଉଛି। ସେ କହିଥିଲେ, ଖୁବ୍‌ ଶୀଘ୍ର ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ପଦ ହରାଇବେ। ଏବଂ ଏବେ ସିନ୍ଦେଙ୍କ ସକ୍ରିୟତା ମଧ୍ୟ ଏହା ସୂଚାଇ ଦେଉଛି।

ଅଜିତଙ୍କ ଦଳରେ ଏଣ୍ଟ୍ରି ମାରିବା ପର ଠାରୁ ସିନ୍ଦେ ଗୋଷ୍ଠୀରେ ହଇଚଇ ଖେଳିଯାଇଛି। ସେପଟେ ବଡ ପାଓ୍ବର ଏବଂ ଛୋଟା ପାଓ୍ବାର ନିଜ ଶକ୍ତି ପ୍ରଦର୍ଶନ ପାଇଁ ବୈଠକ କରୁଥିବାବେଳେ ସିନ୍ଦେ ଠାଣେସ୍ଥିତ ତାଙ୍କ ନିଜସ୍ବ ବାସଭବନରେ ତାଙ୍କ ଗୋଷ୍ଠୀ ସହ ଲଗାତାର ବୈଠକ ଜାରି ରଖିଛନ୍ତି।

ରାଜନୈତିକ ସମୀକ୍ଷକଙ୍କ ଅନୁଯାୟୀ, ପୂର୍ବରୁ ମହା ଅଗାଡୀ ମେଣ୍ଟ ସମୟରେ ସିନ୍ଦେ ମନ୍ତ୍ରୀମଣ୍ଡଳରେ ଅଜିତଙ୍କ ଉପସ୍ଥିତିକୁ ସହ୍ୟ କରିପାରୁ ନ ଥିଲେ। କିନ୍ତୁ ବର୍ତ୍ତମାନ ଭାଜପା ଚାପରେ ପଡି ସେ ନିଜ ଶତ୍ରୁକୁ ଦଳରେ ସ୍ଥାନ ଦେବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଭାଜପାର ଏପରି ନିଷ୍ପତ୍ତିରେ ସେ ଭିତରେ କୁହୁଳିବାରେ ଲାଗିଛନ୍ତି। ତେବେ ଏହି କିଛି ଦିନ ଭିତରେ ସେ ବହୁତ ସକ୍ରିୟ ଦେଖାଯାଉଛନ୍ତି। ଏବଂ ଲଗାତାର ସେ ତାଙ୍କ କର୍ମୀଙ୍କ ସହ ବୈଠକ ଜାରି ରଖିଛନ୍ତି।

ଭାଜପାରେ ସିନ୍ଦେଙ୍କ ଯୋଗଦାନ ପରେ ସେ ମୁଖ୍ୟମନ୍ତ୍ରୀ ପଦ ପାଇଥିଲେ। ଏଥିସହ ତାଙ୍କ ଗୋଷ୍ଠୀକୁ ମହାରାଷ୍ଟ୍ର ସରକାରରେ ବିଭିନ୍ନ ପଦରେ ରଖାଯିବା ନେଇ ଭାଜପା ଆଶ୍ୱସନା ଦେଇଥିବାବେଳେ ଏପର୍ଯ୍ୟନ୍ତ ତାହା ପୂରଣ କରି ନାହିଁ। କିନ୍ତୁ ଅଜିତ ଦଳକୁ ଏଣ୍ଟ୍ରି ମାରୁ ମାରୁ ଅର୍ଥ ବିଭାଗ ରଖିବାକୁ ଜିଦ୍‌ ଧରିଛନ୍ତି। ଯାହାକୁ ନେଇ ନାରାଜ ଅଛନ୍ତି ସିନ୍ଦେ ଗୋଷ୍ଠୀ। ତେବେ ଏହି ଆନ୍ତରୀଣ କନ୍ଦଳରେ ଚୁପ୍‌ ରହିଛି ଭାଜପା।

ଅନ୍ୟପଟେ ଉଦ୍ଧବଙ୍କ ଶିବସେନାରେ ବିଦ୍ରୋହୀ ହୋଇ ଦଳ ଛାଡିଥିବା ସିନ୍ଦେ ଏବଂ ତାଙ୍କ ଗୋଷ୍ଠୀଙ୍କ ଅଯୋଗ୍ୟ ଘୋଷଣାକୁ ନେଇ ପୁଣି ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି ଉଦ୍ଧବ ଗୋଷ୍ଠୀ। ଏନେଇ ଶ୍ରୀଘ୍ର ଶୁଣାଣି କରିବାକୁ ସେମାନେ ଦାବି କରିଛନ୍ତି। ତେବେ ଯଦି ଶିନ୍ଦେ ଗୋଷ୍ଠୀଙ୍କ ପଦ ରଦ୍ଦ ହୋଇଯାଏ ତେବେ ଭାଜପା ଲାଭରେ ରହିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି। ସିନ୍ଦେ ଗୋଷ୍ଠୀଙ୍କ ପଦ ରଦ୍ଦ ହେଲେ ମଧ୍ୟ ଅଜିତ ପାଓ୍ବାରଙ୍କ ବିଧାୟକଙ୍କୁ ନେଇ ଭାଜପା ମହାରାଷ୍ଟ୍ରରେ ସରକାର ଗଢି ପାରିବ। ଏଥିପାଇଁ ଏନସିପିରେ ବିଭାଜନ କରି ଭାଜପା ଅଜିତଙ୍କୁ ନିଜ ପଟକୁ ଆଣିଛି। ମୁଖ୍ୟମନ୍ତ୍ରୀ ପଦ ଆଳରେ ସିନ୍ଦେଙ୍କୁ କାଠ କଣ୍ଢେଇ ସଜେଇଥିବା ଭାଜପାର ଏହି କ୍ଷମତା ଷ୍ଟ୍ରାଟେଜି ସିନ୍ଦେଙ୍କ ପାଇଁ ବଡ ଚେତାବନୀ ବୋଲି ଚର୍ଚ୍ଚା ହେଉଛି।

 

Share