Categories: ଜାତୀୟ

ନୂଆ ସଂସଦ ଭବନର ପ୍ରଶଂସା କଲେ ଅଜିତ ପାଓ୍ବାର, କହିଲେ ଦେଶକୁ ଏହାର ଆବଶ୍ୟକତା ଥିଲା

ପୁଣେ,୩୦।୫: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ନେତା ଅଜିତ ପାଓ୍ବାର ସୋମବାର ନୂଆ ସଂସଦ ଭବନ ଉଦଘାଟନର ପ୍ରଶଂସା କରିଛନ୍ତି। ସମସ୍ତ ଏମପି ଏକାଠି ହୋଇ ସାଧାରଣ ଜନତାଙ୍କ ପାଇଁ କାମ କରିବା ଓ ସେମାନଙ୍କ ସମସ୍ତ ପ୍ରସଙ୍ଗକୁ ବିଚାର କରିବାକୁ ଅଜିତ ପରାମର୍ଶ ଦେଇଛନ୍ତି। ଏହା ପୂର୍ବରୁ ଏନସିପି ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମନା କରି ଦେଇଥିଲା। ଦଳର ମୁଖ୍ୟ ତଥା ଅଜିତଙ୍କ ଚାଚା ଶରଦ ପାଓ୍ବାର ବି ଉଦଘାଟନ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନ କରିବାକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ।

ଅଜିତ ପାଓ୍ବାର କହିଛନ୍ତି, ଆମେ ସମସ୍ତେ ଜାଣିଛୁ ଇଂରେଜମାନେ ସେମାନଙ୍କ ସଂସଦ(ପୁରୁଣା ବିଲଡିଂ) ନିର୍ମାଣ କରିଥିଲେ। ଏବେ ଯେଉଁ ନୂଆ ସଂସଦ ଭବନର ଉଦଘାଟନ ହୋଇଛି ଆମେ ନିଜେ ତାକୁ ନିର୍ମାଣ କରିଛୁ।
ପୁଣେରେ ଖବରଦାତାଙ୍କ ସହ କଥା ହେବା ସମୟରେ ଅଜିତ ପାଓ୍ବାର କହିଛନ୍ତି ରାଜ୍ୟକୁ ନିଜର ବିଧାନସଭା ଭବନ ନିର୍ମାଣ କରିବା କଥା। ମହାରାଷ୍ଟ୍ରରେ ବି ୧୯୮୦ ପରେ ଏକ ନୂଆ ବିଧାନସଭା ଭବନ ନିର୍ମାଣ କରାଯାଇଛି। ହେଲେ ଏବେ ଚର୍ଚ୍ଚା ହେଉଛି କି ମହାରାଷ୍ଟ୍ରରେ ନୂଆ ବିଧାନସଭା ଭବନ ନିର୍ମାଣ ହେବା ଦରକାର।

Share