Categories: ଜାତୀୟ

ଅଜିତ ପାଓ୍ବାରଙ୍କ ମୁଖ୍ୟମନ୍ତ୍ରୀ ମୋହ ଛାଡିନି: ଶିନ୍ଦେ, ଫଡନଭିସଙ୍କ ଉପସ୍ଥିତିରେ କହିଦେଲେ ଏମିତି କଥା

ପୁଣେ,୮।୮: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ବୟାନବାଜି ତୀବ୍ର ହେବାରେ ଲାଗିଛି। ଏହି କ୍ରମରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏକ ବଡ଼ କଥା କହିଦେଇଛନ୍ତି। ସେ କହିଛନ୍ତି, ଯଦି ଭାଜପା ଏବଂ ଶିବସେନା ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ପ୍ରଦାନ କରିଥାନ୍ତେ ତେବେ ସେ ତାଙ୍କ ସହିତ ସମଗ୍ର ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ଆଣିଥାନ୍ତେ। କାରଣ ରାଜନୀତିରେ ମୁଁ ଉଭୟ ମୁଖ୍ୟମନ୍ତ୍ରୀ ଶିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ଅପେକ୍ଷା ବରିଷ୍ଠ। ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କ ଜୀବନୀ ‘ଯୋଦ୍ଧା କର୍ମଯୋଗୀ- ଏକନାଥ ସଂଭାଜୀ ଶିନ୍ଦେ’ ରିଲିଜ ଅବସରରେ ପାୱାର ଏକ ହାସ୍ୟାସ୍ପଦ ସ୍ବରରେ ଏହା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଶିନ୍ଦେ ଏବଂ ଫଡନାଭିସ ମଧ୍ୟ ଉପସ୍ଥିତ ଥିଲେ।

ଜୁଲାଇ ୨୦୨୩ରେ ଅଜିତ ପାୱାର ତାଙ୍କ ଦାଦା ଶରଦ ପାୱାରଙ୍କ ବିରୋଧରେ ବିଦ୍ରୋହ କରି ଏନସିପି ଭାଙ୍ଗି ଭାଜପା-ଶିବସେନା ସରକାରରେ ଯୋଗ ଦେଇଥିଲେ। ଅଜିତ ପାୱାର କହିଛନ୍ତି, ସମସ୍ତେ ଆଗକୁ ଯାଇଥିଲେ ଏବଂ ମୁଁ ପଛରେ ରହିଥିଲି। ପୂର୍ବତନ ମୁଖ୍ୟମନ୍ତ୍ରୀ ଫଡନାଭିସ ୧୯୯୯ରେ, ୨୦୦୪ରେ ଶିନ୍ଦେ, ୧୯୯୦ରେ ମୁଁ ପ୍ରଥମ ଥର ପାଇଁ ବିଧାନସଭା ସଦସ୍ୟ ହୋଇଥିଲୁ। ମୁଁ ଥଟ୍ଟା କରି କିଛି ଲୋକଙ୍କୁ କହିଥିଲି ଯେ ଯେତେବେଳେ ତୁମେ (ବୋଧହୁଏ ଭାଜପା ଆଡକୁ ଇଙ୍ଗିତ କରି) ଏକନାଥ ଶିନ୍ଦେଙ୍କୁ ଏତେ ସଂଖ୍ୟକ ବିଧାୟକଙ୍କ ସହ ଆସିବାକୁ କହିଥିଲେ ଏବଂ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ … ତେବେ ତୁମେ ମୋତେ ପଚାରିବା ଉଚିତ୍‌ ଥିଲା। ମୁଁ ପୁରା ପାର୍ଟିକୁ ସାଙ୍ଗରେ ଆଣିଥାନ୍ତେ। ଫଡନାଭିସ, ଶିନ୍ଦେ ଏବଂ ଅଜିତ ପାୱାର ନିଜେ ମଧ୍ୟ ଏହା ଉପରେ ହସିବାକୁ ଲାଗିଲେ।
ଏହାପରେ ଅଜିତ୍‌ ପାଓ୍ବାର୍‌ କହିଥିଲେ, ଏହା ଏକ ପରିହାସ, ଏହାକୁ ଛାଡିଦିଅ। ଜୀବନରେ ଯାହା ଘଟେ ତାହା ହେଉଛି ଭାଗ୍ୟରେ ଲେଖା। ଆମେ ଆମର କାର୍ଯ୍ୟ ଜାରି ରଖିବା ଉଚିତ୍‌।

Share