Categories: ଜାତୀୟ

ଶିନ୍ଦେଙ୍କୁ ହଟାଇବା ପାଇଁ ଭାଜପା ସହ ହାତ ମିଳାଇଛନ୍ତି ଅଜିତ

ମୁମ୍ବାଇ, ୪ା୭: ମହାରାଷ୍ଟ୍ର ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥବା ଏନ୍‌ସିପି ନେତା ଅଜିତ ପାଓ୍ବାର ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ପଦରୁ ଏକନାଥ ଶିନ୍ଦେଙ୍କୁ ହଟାଇବେ ବୋଲି ଉଦ୍ଧବ ଠାକ୍‌ରେଙ୍କ ଶିବସେନା (ୟୁବିଟି) ମୁଖପତ୍ର ‘ସାମନା’ର ସମ୍ପାଦକୀୟରେ ଉଲ୍ଲେଖ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ନେତୃତ୍ୱରେ ଭାଜପା କେବଳ ମହାରାଷ୍ଟ୍ରର ନୁହେଁ ସାରା ଦେଶର ରାଜନୀତିକୁ କଳୁଷିତ କରିଛି। ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାରେ ଅଜିତ ରେକର୍ଡ କରିଛନ୍ତି। ଏଥର ଡିଲ୍‌ ବହୁତ ଦୃଢ଼ ବୋଲି ସେନା ମୁଖପତ୍ର କହିଛି। ଅଜିତ କେବଳ ସେଠାକୁ ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଇନାହାନ୍ତି। ଶିନ୍ଦେ ଏବଂ ସେନାର ବିଦ୍ରୋହୀ ବିଧାୟକମାନଙ୍କୁ ଖୁବ୍‌ଶୀଘ୍ର ଅଯୋଗ୍ୟ ଘୋଷଣା କରାଯିବ ଏବଂ ଅଜିତଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଅଭିଷିକ୍ତ କରାଯିବ ବୋଲି ସାମନା ସମ୍ପାଦକୀୟରେ କୁହାଯାଇଛି। ମହାରାଷ୍ଟ୍ର ରାଜନୀତିରେ ଏଭଳି ପରମ୍ପରା ନ ଥିଲା। ଜନସାଧାରଣ କଦାପି ଏହାକୁ ସମର୍ଥନ କରିବେ ନାହିଁ ବୋଲି ସେନା ମୁଖପତ୍ରରେ ଦାବି କରାଯାଇଛି। ଅଜିତ ପାଓ୍ବାର ରବିବାର ଏନ୍‌ସିପିର ୮ ବିଧାୟକଙ୍କ ସହ ଏକନାଥ ଶିନ୍ଧେ ସରକାରରେ ସାମିଲ ହୋଇଥିଲେ।

Share